ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚର ଖଣି ଡମ୍ପୟାର୍ଡ଼ ଇଲାକାରୁ ଗାଡ଼ି ଚୋରି ଗ୍ୟାଙ୍ଗ୍କୁ ଠାବ କରିବାରେ ସଫଳ ହୋଇଛି ତାଳଚେର ପୁଲିସ। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ଗୋଟିଏ କ୍ରେନ୍ ସମେତ ୩ଟି ଟ୍ରକ୍ ପୁଲିସ ଜବତ କରିଛି। ମାମଲାର ଅନୁସନ୍ଧାନ ଜାରି ରହିଥିବା ବେଳେ ଗାଡ଼ିଚୋରିଠାରୁ ଆରମ୍ଭ କରି ସ୍କ୍ରାପ୍ କାଟି ଚାଲାଣ ପର୍ଯ୍ୟନ୍ତ ଏକାଧିକ ଗୋଷ୍ଠୀର ସଂପୃକ୍ତି ରହିଛି। ଗିରଫ ଅଭିଯୁକ୍ତ ସୋନୁ ସରୋଜ (୨୨)କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ତା’ ଘର କଟକ ଶିଖରପୁରରେ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ତାଳଚେର ଥାନାର ଏସ୍ଆଇ କେଶବ ନାରାୟଣ ପଲେଇ ଗତରାତି ୮ଟା ବେଳେ ପାଟ୍ରୋଲିଂ କରୁଥିବା ବେଳେ କୋଇଲା ଖଣି ଡମ୍ପୟାର୍ଡ଼ରୁ ଟିପର/ ହାଇୱା ଚୋରି ହୋଇ କ୍ରେନ୍ ଯୋଗେ ଢେଙ୍କାନାଳ ଅଭିମୁଖେ ନିଆଯାଉଛି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ। ଢେଙ୍କାନାଳରେ ଗାଡ଼ି କାଟି ସ୍କାପ୍ କରି ବାହାରକୁ ଚାଲାଣ ହେବ। ଏହି ସୂଚନା ଆଧାରରେ ୧୪୯ ନମ୍ବର ଜାତୀୟ ରାଜପଥରେ ପୁଲିସ ତଲାସି କରି ହୋଟେଲ ସୂର୍ଯ୍ୟାଗାର୍ଡେନ୍ ନିକଟରେ ଏକ ଟ୍ରେନ୍ ( ଓଡ଼ିଠ୪-ଆର-୦୦୭୧) ଗୋଟିଏ ଟ୍ରକ୍ (ଓଆର୍୦୨-ଏଏମ୍୮୩୮୮) ଧରି ବହୁର ଅଭିମୁଖେ ମାଡ଼ିଯାଉଥିବା ଦେଖିବାକୁ ପାଇଥିଲେ । ଏହି ଟ୍ରକ୍ଟି କଣିହାଁ ଅଞ୍ଚଳରୁ ଚୋରି ହୋଇଥିଲା। ପୁଲିସ ଉଭୟ ଗାଡ଼ି ଜବତ କରିବା ସହ ସୋନୁକୁ ଗିରଫ କରିଥିଲା। ତାକୁ ପଚରାଉଚୁରା କରିବା ପରେ ଚୋରି ଗ୍ୟାଙ୍ଗ୍ ସମ୍ପର୍କରେ ପୁଲିସ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇଥିଲା। ତା’ଠାରୁ ମିଳିଥିବା ତଥ୍ୟ ଆଧାରରେ ଚଢ଼ଉ କରି ତାଳବେଡ଼ା ନିକଟରୁ ଆଉ ଦୁଇଟି ଟ୍ରକ୍ (ଓଆର୦୨ ବିଭି ୫୦୫୮, ଓଆର୦୨ ବିଭି ୫୦୪୯)ପୁଲିସ ଜବତ କରିଥିଲା। ତାଳବେଡ଼ା ନିକଟରେ ଚୋରି ଗାଡ଼ି ପାର୍କିଂ କରି ରଖାଯାଉଥିବା ବେଳେ ସୁବିଧା ଦେଖି ଚାଲାଣ ହେଉଥିଲା।
କ୍ରେନ୍ ସହ ୩ ଟ୍ରକ୍ ଜବତ, ଜଣେ ଗିରଫ
- Post published:December 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
