ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ସୋମବାର ଗିତାଗ୍ରାମରେ ଚଢ଼ାଉକରି ୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ ଦଳ ସହରର ଗିତାଗ୍ରାମର ଜିତେନ୍ଦ୍ର ଧରଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ପୋଲିସ ଦେଖିବାକୁ ପାଇଲେ ଯେ, ଏକ କୋଠରୀରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗୋଡ଼ିଢ଼ିପ ସାହିର ସୌମ୍ୟ ରଞ୍ଜନ ପଧାନ(୩୦), ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ ଭାଲୁଗାଡ଼ିଆ ଗାଁର ଦୁଷ୍ମନ୍ତ ନାଏକ(୨୪), ମନୋଜ ନାଏକ(୨୧) ଓ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ସାନୁ ବେହେରା(୨୨) ସିଗାରେଟରେ ବ୍ରାଉନ୍ ସୁଗାର ଟାଣୁଛନ୍ତି। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅନୁଗୁଳ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଯାଞ୍ଚ କରାଯାଇ ୬.୦୫୦ ଗ୍ରାମର ବ୍ରାଉନ୍ ସୁଗାର, ୪ଟି ମୋବାଇଲ ଫୋନ୍, ଗୋଟିଏ ବାଇକ୍, ସିଗାରେଟ୍, ଆଲୁମିନିୟମ୍ ଫଏଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।
ଏହି ଅଭିଯୁକ୍ତମାନେ ପ୍ରକାଶ କରିଥିଲେ ଯେ, ସେମାନେ ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁର ଝିଲି ସାହୁଠାରୁ ବ୍ରାଉନ୍ ସୁଗାର କିଣିଛନ୍ତି। ଏ ନେଇ ପୋଲିସ ଏକ ମାମଲା ରୁଜୁକରି ୪ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି।