ଅନୁଗୁଳରେ ବିକାଶର ନୂଆ ଅଧ୍ୟାୟ: ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

You are currently viewing ଅନୁଗୁଳରେ ବିକାଶର ନୂଆ ଅଧ୍ୟାୟ: ବିଧାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଆଜି ବିକାଶମୂଳକ କାର୍ଯ୍ୟର ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ କରକମଳରେ ଆଜି ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଯାଇଛି। ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମଞ୍ଜୁର ହୋଇଥିବା ୪ କୋଟି ୭୧ ଲକ୍ଷ ୩୭ ହଜାର ଟଙ୍କା ବିନିମୟରେ ଜାତୀୟ ରାଜପଥ ୧୪୯ ନାରଣଚନ୍ଦ୍ରପୁର ଗ୍ରାମ ଠାରୁ ଶାଳଗଡ଼ିଆ ଦେଇ ଗୋତାମରା ଗ୍ରାମ ଶ୍ମଶାନ ପର୍ଯ୍ୟନ୍ତ ପ୍ରାୟ ୩.୩୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ସଡକର ଶିଳାନ୍ୟାସ କରାଯାଇଛି।

ଏହା ସହିତ ମା ବ୍ରହ୍ମାୟଣୀ ପୀଠରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଏକ ନୂତନ ହାଇମାଷ୍ଟ ଲାଇଟର ଶୁଭ ଉଦ୍ଘାଟନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦେଇ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୬୭ ଲକ୍ଷ ୯୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ ନୂତନ ଗୃହର ଶିଳାନ୍ୟାସ ବିଧାୟକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ଏହି ନୂତନ ଗୃହ ନିର୍ମାଣ ହେବା ଫଳରେ ବଅଁରପାଳ ଅଞ୍ଚଳର ରୋଗୀମାନେ ଅଧିକ ଉତ୍ତମ ସେବା ପାଇପାରିବେ ବୋଲି ବିଧାୟକ ଆଶା ପ୍ରକଟ କରିଛନ୍ତି।

କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ହରିଶ ଦେହୁରୀଙ୍କ ସମେତ ଛବି ମୋହନ ସାହୁ, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବଅଁରପାଳ ମଣ୍ଡଳ ସଭାପତି ସୁବ୍ରତ ସାହୁ, ଅଶୋକ ଧୀର, କୁଶଧର ସାହୁ, ଆଲୋକ ସାହୁ, ନୃସିଂହ ସାମଲ, ଭୋଗବେରେଣୀ ସରପଞ୍ଚ ଚ୍ଯାପଲିନ ସାହୁ, ସୁଶାନ୍ତ ସାମଲ, ଓକିଲ ହେମନ୍ତ ସାହୁ, ଗୋକୁଳାନନ୍ଦ ଲେଙ୍କା, ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply