ଭୁବନେଶ୍ୱର: ଅନୁଗୁଳ ସମେତ ରାଜ୍ୟର ଅନ୍ୟ ୮ଟି ସହରରେ ଗଡ଼ିବ ଆମ ବସ। କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ ସମେତ ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ବର ଓ ରାୟଗଡ଼ାରେ ଗଡିବ ଆମ ବସ। ଏଥିସହିତ ସୁରକ୍ଷିତ ଡ୍ରାଇଭିଂ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି। ଏଲେକ୍ଟ୍ରୀ ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ରଖାଯାଇଥିବା ବେଳେ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି।
ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି। ଏଥିରେ ଯାତ୍ରୀମାନଙ୍କ ପ୍ରତି ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ କ୍ରୁଟ୍ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା ହୋଇଛି।











