ଅନୁଗୁଳ: ଅନୁଗୁଳ ଜଗନ୍ନାଥ ସେନାର ଡାକରାରେ ଜିଲ୍ଲାର ବିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତା ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଗଣ ଆନ୍ଦୋଳନ କରିଛନ୍ତି। କର୍ମକର୍ତ୍ତାମାନେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ମନ୍ଦିର ପରିଚାଳନା ସମିତିର ସମ୍ପାଦକ ହେମନ୍ତ ଦାଶ ଓ ଉପ ସଭାପତି ତଥା ବିଶେଷ ପୂଜା କମିଟି ଅଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ରଙ୍କ ସମେତ କାର୍ଯ୍ୟକାରୀ କମିଟି ଦାୟିତ୍ବରେ ଥିବା ଅନ୍ୟ ସଦସ୍ୟ ମାନେ ଦୀର୍ଘବର୍ଷ ହେବ ଗୋଟିଏ ପଦବୀରେ ରହିଥିବା କାରଣରୁ ଅନ୍ୟାୟ ଓ ଦୁର୍ନୀତି କରିଆସୁଥିବାର ଅଭିଯୋଗ କରିଥିଲେ।
ତେବେ ଲୋକ ପ୍ରତିନିଧିଙ୍କୁ ଏହି ପ୍ରସ୍ତାବ ଦିଆଯାଉ ଓ ସେମାନେ ଚାହିଲେ ସୁବିଧାରେ ଏହି ପରିଚାଳନା ସମିତି ପରିବର୍ତ୍ତନ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ସମସ୍ତ ଦାବି ଗୁଡ଼ିକ ଅନୁଧ୍ୟାନ କରି ଆଇନ୍ ସଚିବଙ୍କ ସହ ଆଲୋଚନା ପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି।
ଆଜିର ଆନ୍ଦୋଳନରେ ପତଞ୍ଜଳି ଯୋଗ ସମିତି, ଆର୍ଟ ଅଫ ଲିଭିଙ୍ଗ, ଆମ୍ବେଦକର ଫାଉଣ୍ଡେସନ, ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ସଂଘ, ଆନିମଲ ୱେଲଫେୟାର ଟ୍ରଷ୍ଟ, ରାଷ୍ଟ୍ରୀୟ ସ୍ୱୟଂମ ସେବକ ସଂଘ, ସ୍ମାଇଲ, ଭାରତୀୟ ମଜଦୁର ସଙ୍ଘ, ଶୈଳଶ୍ରୀକ୍ଷେତ୍ର କାର ଡ୍ରାଇଭର ସଂଘ, ଅନୁଗୁଳ ବସ୍ ମାଲିକ ସଂଘ ସମେତ ବିଜେପି, ବିଜେଡି ଓ କଂଗ୍ରେସ ପ୍ରମୁଖ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ।