ଭାଇ-ଭାଇ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୪ ଆହତ, ଥାନାରେ ମାମଲା

You are currently viewing ଭାଇ-ଭାଇ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୪ ଆହତ, ଥାନାରେ ମାମଲା

ଅନୁଗୁଳ: ପାରିବାରିକ କଳହକୁ କେନ୍ଦ୍ର କରି କଣିହାଁ ବ୍ଲକ କାକୁଡ଼ିଆ ଗ୍ରାମରେ ଏକ ସାଙ୍ଘାତିକ ଘଟଣା ଘଟିଛି। ଗୋଟିଏ ପରିବାରର ଭାଇମାନଙ୍କ ମଧ୍ୟରେ ମାରପିଟ୍ ହୋଇ ଉଭୟ ପକ୍ଷରୁ ପ୍ରାୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଜମିବାଡ଼ି କିମ୍ବା ଘରୋଇ ଗଣ୍ଡଗୋଳକୁ ନେଇ ବଡ଼ଭାଇ ଇନ୍ଦ୍ରମଣି ନାଏକ ଓ ମଝିଆ ଭାଇ ଜୟନ୍ତଙ୍କ ସହ ସାନଭାଇ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଗାୟତ୍ରୀଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସାଧାରଣ ବଚସା ଶେଷରେ ଉଗ୍ର ରୂପ ନେଇଥିଲା।

ଅଭିଯୋଗ ଅନୁସାରେ, ପ୍ରଥମେ ଦୁଇ ବଡ଼ ଭାଇ ମିଶି ସାନଭାଇ ଓ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ଏଥିରେ ରାଗିଯାଇ ସାନଭାଇ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଗାୟତ୍ରୀ ଏକ ପନିକି ସାହାଯ୍ୟରେ ଦୁଇ ବଡ଼ ଭାଇଙ୍କୁ ପାଲଟା ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଉଭୟ ପକ୍ଷ ରକ୍ତାକ୍ତ ହୋଇପଡ଼ିଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ବଡ଼ଭାଇ ଇନ୍ଦ୍ରମଣିଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ମାମଲାରେ ଦୁଇ ପକ୍ଷ ପରସ୍ପର ବିରୋଧରେ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଧିକାରୀ ଏସ.କେ. ତୁଙ୍ଗଙ୍କ ସୂଚନା ଅନୁସାରେ, ପୋଲିସ ଦୁଇଟି ଯାକ ମାମଲା ରୁଜୁ କରି ଘଟଣାର ଖୋଳତାଳ କରୁଛି।

Share

Leave a Reply