ତାଳଚେର: ବିଶ୍ବାସରେ ବିଷ । ସାହାଯ୍ୟ କରିବା ଆଳରେ ଲୁଟିଲେ । ଏଟିଏମ୍ କାର୍ଡ଼ ବଦଳାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଉଠାଇ ନେଲେ ୩୦ ହଜାର ଟଙ୍କା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ଦୁର୍ଗାପ୍ରସାଦ ମହାରଥି(୫୩)। ସେ ତାଳଚେର ସହର ରାଜବାଟୀ ନିକଟ ସାମନ୍ତ ସାହରେ ରହୁଛନ୍ତି । ଶ୍ରୀ ମହାରଥି ଗତ ମଙ୍ଗଳବାର ସନ୍ଧ୍ୟାରେ ତାଳଚେର ବାଇପାସ୍ ଟ୍ରାଫିକ୍ ଛକ ନିକଟି ଏଟିଏମ୍ ଟଙ୍କା ଉଠାଇବାକୁ ଯାଇଥିଲେ। ଦୁଇଥର ଉଦ୍ୟମ ସତ୍ତ୍ୱେ ଏଟିଏମ୍ରୁ ଟଙ୍କା ଉଠାଣ ହୋଇପାରିନଥିଲା । ଏହି ସମୟରେ ଦୁଇ ଜଣ ଅଜଣା ଯୁବକ ସେଠାରେ ପହଞ୍ଚି ଶ୍ରୀ ମହାରଥୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଏମିତିକି ତାଙ୍କ ପାଇଁ ସେ ଟଙ୍କା ଉଠାଇ ଦେଇଥିଲେ। ମାତ୍ର ଟଙ୍କା ଉଠାଣ ପରେ ନିଜ ପାଖରେ ରଖିଥିବା ମେଞ୍ଚାଏ ଏଟିଏମ୍ କାର୍ଡ ମଧ୍ୟରୁ ଗୋଟିଏ ଶ୍ରୀ ମହାରଥିଙ୍କୁ ବଢ଼ାଇ ଦେଇ ତାଙ୍କ ଏଟିଏମ୍ କାର୍ଡ ନେଇ ଯାଇଥିଲେ । ସମାନ ଭଳି ଦିଶୁଥିବାରୁ ଏହାକୁ ଠଉରେଇ ପାରିନଥିଲେ ଶ୍ରୀ ମହାରଥି। ମାତ୍ର ମଙ୍ଗଳବାର ଓ ବୁଧବାର ଦୁଇ ଦୁର୍ବୃତ୍ତ ତାଙ୍କ ଏଟିଏମ୍ କାର୍ଡ଼ ବ୍ୟବହାର କରି ୪ ଥରରେ ୩୦ ହଜାର ଟଙ୍କା ଲୁଟି ନେଇଥିଲେ । ମୋବାଇଲକୁ ମେସେଜ ଆସିବା ପରେ ମହାରଥି ପାଖରେ ଥିବା ଏଟିଏମ୍ କାର୍ଡ ଯାଞ୍ଚ କରିଥିବା ମାତ୍ର ତାହା ତାଙ୍କର ନୁହେଁ ବୋଲି ଜାଣିବା ପରେ ଦୁଇ ଦୁବୃତ୍ତଙ୍କ ଦ୍ଵାରା ଠକାମିର ଶିକାର ହୋଇଥିବା ଜାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସାହାଯ୍ୟ ଆଳରେ ଠକେଇ
- Post published:March 19, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
