ଅନୁଗୁଳ: ବିବାହ ପ୍ରସ୍ତୁତି ଶେଷ ହୋଇଥିଲା। ଆଉ କେଇ ଘଣ୍ଟା ପରେ ବିବାହ ବନ୍ଧନରେ ଛନ୍ଦି ହୋଇଥାନ୍ତେ ନାବାଳିକା। ହେଲେ ଠିକଣା ସମୟରେ ଏଣ୍ଟ୍ରି ମାରି ନାବାଳିକା ବିବାହକୁ ରୋକିଲା ଚାଇଲ୍ଡଲାଇନ୍। ପାଳଲହଡ଼ା ବ୍ଲକ ମହୁଲିଆପଶି ଗ୍ରାମରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ନାବାଳିକା ବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବାରେ ପ୍ରଶାସନର ତତ୍ପରତାକୁ ପ୍ରଶଂସା କରାଯାଇଛି। ପ୍ରାପ୍ତ ସୂଚନା ମୁତାବକ, ମହୁଲିଆପଶି ଗ୍ରାମର ଜଣେ ବ୍ୟକ୍ତିଙ୍କ ୧୭ ବର୍ଷୀୟା ନାବାଳିକା ଝିଅର ଡେରା ଗ୍ରାମର ଜଣେ ଯୁବକଙ୍କ ସହ ବିବାହ ଆଜି ହେବାକୁ ଲଗ୍ନ ସ୍ଥିର ହୋଇଥିଲା। ବିବାହ ପାଇଁ ଉଭୟ ପକ୍ଷର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଏପଟେ ନାବାଳିକା ବିବାହ ନେଇ ଖବର ପାଇବା ପରେ ପାଳଲହଡ଼ା ଚାଇଲ୍ଡ ଲାଇନ୍ର କାଜଲ ପ୍ରଧାନଙ୍କ ନେତୃତ୍ଵରେ ଏକ ଟିମ ନାବାଳିକା ଘରେ ପହଞ୍ଚିଥିଲା। ନାବାଳିକାଙ୍କ ବାପା-ମା’ଙ୍କୁ ବୁଝାଇବା ସହ ବିବାହକୁ ବନ୍ଦ କରିଥିଲା। ଗାଁ କଲ୍ୟାଣ ସମିତି ତଥା ଗ୍ରାମ ଶିଶୁ ସୁରକ୍ଷା କମିଟିର ସଦସ୍ୟ ଏଥିରେ ସହାୟତା କରିଥିଲେ। ଝିଅକୁ ୧୮ ବର୍ଷ ହେଲା ପରେ ତାଙ୍କୁ ବିବାହ କରାଇବେ ବୋଲି ନାବାଳିକାଙ୍କ ବାପା-ମା’ ଚୁକ୍ତି କରିଥିବା ଜଣାପଡ଼ିଛି। ତଦାରଖ କରିବାକୁ ଗ୍ରାମର ୱାର୍ଡମେମ୍ବର ଓ ଅଙ୍ଗନୱାଡି ଦିଦିଙ୍କୁ ଦାୟିତ୍ୱ ଦିଆଯାଇଛି। ନାବାଳିକା ବିବାହ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିବାହ ପାଇଁ ଅନୁମତି ନେବା ବେଳେ ପୁଲିସ୍କୁ ବର-କନ୍ୟାଙ୍କ ବୟସ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ଟେଣ୍ଟ ହାଉସ୍ ମାଲିକଙ୍କଠାରୁ ନେଇ ପୁରୋହିତଙ୍କ ପର୍ଯ୍ୟନ୍ତ, ଧରାପଡ଼ିଲେ ସମସ୍ତଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍
- Post published:May 14, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
