ଅନୁଗୋଳ: ଜିଲ୍ଲାର କୋଲିୟାରୀ ଥାନା ଅନ୍ତର୍ଗତ ବିଭିନ୍ନ କୋଇଲା ଖଣିରୁ ବେଆଇନ ଭାବେ କୋଇଲା ଚୋରି କରି ବାହାରକୁ ଚାଲାଣ କରୁଥିବା ଏକ ଆପରାଧିକ ଦଳର ପର୍ଦ୍ଦାଫାସ କରାଯାଇଛି। ପୋଲିସକୁ ମିଳିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ଆଧାରରେ ଏଲ୍ ଆଣ୍ଡ ଟି ରୋଡ୍ରେ ସ୍ୱତନ୍ତ୍ର ଚଢ଼ଉ କରାଯାଇ ଏହି ଚୋରା କାରବାରକୁ ଠାବ କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଗିରଫ ବ୍ୟକ୍ତିମାନେ ହେଲେ ଡେରା ଅଞ୍ଚଳର ଅନିଲ ପ୍ରଧାନ, ମୟୂରଭଞ୍ଜ ପାନସିର ବିଭୂତି ସେଇ, କୁଷପଙ୍ଗିର ପର୍ଶୁରାମ ନାଏକ ଏବଂ ବଅଁରପାଳ କୁଷପଙ୍ଗିର ତରୁଣ କୁମାର ନାଏକ। ପୋଲିସ ସେମାନଙ୍କ ନିକଟରୁ ୪ଟି ଟ୍ରକ୍, ଗୋଟିଏ ଲୋଡର, ଏବଂ କେତେକ ମୋବାଇଲ୍ ଫୋନ୍ ଜବତ କରିଛି। ଏହାସହ ସେମାନଙ୍କ ଠାରୁ ମୋଟ ୧୩୮.୬ ମେଟ୍ରିକ୍ ଟନ୍ ଚୋରା କୋଇଲା ମଧ୍ୟ ଜବତ କରାଯାଇଛି। ଖଣି ଅଞ୍ଚଳରେ ଏଭଳି ବେଆଇନ କାରବାର ବିରୋଧରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।











