ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ

You are currently viewing ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ

ଅନୁଗୁଳ: ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ପ୍ରାଣୀମିତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଲେ ସରପଞ୍ଚ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡର ରୋହିଲା ଗ୍ରାମପଞ୍ଚାୟତରୁ। ଏଠାରେ ମିଶନଶକ୍ତି ସଂଗଠନ ଅନ୍ତର୍ଭୁକ୍ତ ପ୍ରାଣୀମିତ୍ର ପଦବୀରେ କାର୍ଯ୍ୟରତ ନିରୁପମା ଦେହୁରୀ ନକଲି ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରି ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସରପଞ୍ଚ ଦିବ୍ୟ ଲୋଚନ ନାଏକ।
ସୋମବାର ପାଳଲହଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସରପଞ୍ଚ ଦିବ୍ୟଲୋଚନ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ନିରୁପମା ଗତ ୨୦୨୩ ମସିହା ଅକ୍ଟୋବର ମାସରୁ ମାସିକ ୩୦୦୦ ଟଙ୍କା ବେତନରେ ରୋହିଲା ପଞ୍ଚାୟତର ପ୍ରାଣୀମିତ୍ର ଭାବେ ନିଯୁକ୍ତି ପାଇଥିଲେ। ଏବେ ତାଙ୍କ ବେତନ ବଢ଼ି ୫୦୦୦ ହୋଇଛି। କିନ୍ତୁ ନିରୁପମା ନିଯୁକ୍ତି ବେଳେ ଦାଖଲ କରିଥିବା ପ୍ରମାଣପତ୍ର ସମ୍ପୂର୍ଣ୍ଣ ନକଲି ଯାହାକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରମାଣ ସହ ମିଳିଛି ବୋଲି ସରପଞ୍ଚ କହିଛନ୍ତି। ସୂଚନା ଅଧିକାର ନିୟମ ଅନୁସାରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ର ଚିଠି ସଂଖ୍ୟା ୧୬୯ ତା ୩୦/୦୧/୨୫ ମିଳିଥିବା ତଥ୍ଯ ଅନୁଯାୟୀ ନିରୁପମା ଦାଖଲ କରିଥିବା ଶିକ୍ଷା ପ୍ରମାଣପତ୍ର ରୋଲ ନମ୍ବର 61RC147 ରେ କୌଣସି ତଥ୍ୟ ନଥିବା ଜଣାପଡ଼ିଛି।

ସେହିପରି ପ୍ରମାଣ ପତ୍ରରେ ଲେଖାଥିବା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, କନ୍ତୋର, ଢେଙ୍କାନାଳ କର୍ତ୍ତୃପକ୍ଷ ଚିଠି ସଂଖ୍ୟା ୨୭ ତା 27/04/25 ଅନୁସାରେ ନିରୁପମା ଦେହୁରୀ ମା- ଇଛା ଦେହୁରୀ ବାପା- ବେଣୁଧର ଦେହୁରୀ ରୋଲ ନମ୍ବର 61RC147 ଏବଂ କ୍ରମିକ ସଂଖ୍ୟା M1979200 ରେ କୌଣସି ପ୍ରମାଣ ପତ୍ର ପ୍ରଦାନ କରାଯାଇନଥିବା ପ୍ରକାଶ କରିଛନ୍ତି। ତେଣୁ ନିରୁପମା ମିଥ୍ୟା ତଥ୍ଯ ଦାଖଲ କରି ସରକାରଙ୍କୁ ଠକି ଏପରି ଭାବରେ ସରକାରୀ ଅର୍ଥକୁ ଗ୍ରହଣ କରିବା ନିଶ୍ଚିତ ଭାବେ ଅସାମ୍ବିଧାନିକ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି କରିଛନ୍ତି।

ଏନେଇ ପ୍ରାଣୀମିତ୍ର ନିରୁପମାଙ୍କ ସହିତ ଯୋଗାଯୋଗ କରିବାରୁ ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ କହିଛନ୍ତି।
ସେହିପରି ମିଶନ ଶକ୍ତିର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଜିତେନ୍ଦ୍ର କୁମାର ସାହୁଙ୍କ ସହିତ ଯୋଗାଯୋଗ କରିବାରୁ ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Share

Leave a Reply