ମନରେଗାରେ ଅନିୟମିତତା ଅଭିଯୋଗ: ତଦନ୍ତ ପାଇଁ ଆଠମଲ୍ଲିକ ପହଞ୍ଚିଲେ ଲୋକପାଳ

You are currently viewing ମନରେଗାରେ ଅନିୟମିତତା ଅଭିଯୋଗ: ତଦନ୍ତ ପାଇଁ ଆଠମଲ୍ଲିକ ପହଞ୍ଚିଲେ ଲୋକପାଳ

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବ୍ଲକର ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଶ୍ରମିକ ବଦଳରେ ଯନ୍ତ୍ର (ଜେସିବି) ଓ ଟ୍ରାକ୍ଟର ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହେଉଛି। କେତେକ ସ୍ଥାନରେ ଶ୍ରମିକ କାମ କରିଥିଲେ ମଧ୍ୟ ମଷ୍ଟରରୋଲରେ ଟିପ ମରାଇ ନିଆଯାଇ ସେମାନଙ୍କ ପାଉଣା ଦିଆଯାଉନଥିବା ଅଭିଯୋଗ ହୋଇଛି। ମନରେଗା କାର୍ଯ୍ୟରେ ଏଭଳି କିଛି ଅନିୟମିତତା ଅଭିଯୋଗର ତଦନ୍ତ କରିବାକୁ ଗତ ଶୁକ୍ରବାର ଅନୁଗୁଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଲୋକପାଳ (ଓମ୍ବୁଡ଼ସ ମ୍ୟାନ) ବିଭୂତି ଭୂଷଣ ପଟ୍ଟନାୟକ ଆଠମଲ୍ଲିକ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି।

ସେ ଅଏଡ଼ା ପଞ୍ଚାୟତ ତିତିଗାଁ ରଙ୍ଗପୁରର ଶଙ୍କର ଦେହୁରୀ ଶ୍ରମିକ ଭାବେ ୫୦ ଫୁଟ୍ ମାଟି ଖୋଳି ଅଦ୍ୟାବଧି ତାର ପାଉଣା ପାଇନଥିବା, ଭବାନୀପୁରର ଦେବେନ୍ଦ୍ର ବେହେରା ଓ ସବିତା ଦାସ କାଓକମ୍ପୋଷ୍ଟ କାର୍ଯ୍ୟ କରିଥିବା ବେଳେ ମଷ୍ଟରରୋଲରେ ସେମାନଙ୍କ ଟିପ ଚିହ୍ନ ନିଆଯାଇଥିଲେ ମଧ୍ୟ ସେମାନଙ୍କୁ ତାଙ୍କ ପାରିଶ୍ରମିକ ପ୍ରଦାନ କରାଯାଇନଥିବା ଘଟଣାର ତଦନ୍ତ କରିଥିଲେ। ସେଠାରୁ ଅଏଡା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଞ୍ଚାୟତ ଅଧିକରୀ ଓ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। ଶ୍ରମିକମାନେ ସେମାନଙ୍କ ପାଉଣା ପାଇନଥିବା ଅଭିଯୋଗ ତଦନ୍ତରେ ଗ୍ରାମ୍ୟ ରୋଜଗାର ସେବକ କିନ୍ତୁ ସେମାନଙ୍କୁ ତାଙ୍କ ପାଉଣା ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଛି ବୋଲି କହିଥିବା ଜଣାଯାଇଛି।

ଭୁବନୀପୁରରେ ୧୦ ଲକ୍ଷ ଟଙ୍କାରେ ଏକ ଅମୃତ ସରୋବର ନିର୍ମାଣ କରାଯାଇଛି। ୬୦ଟି ପିଟ୍ ଖୋଳାଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକ ମଧ୍ୟ ସେମାନଙ୍କ ପାଉଣା ପାଇନାହାଁନ୍ତି। ଏହି ଜମି ସରକାରୀ ଜମି ଓ ଏହା ୧୧. ୮୫ ଡେସିମିଲ ଅଛି ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ ଗାଁର ଚିତ୍ତରଞ୍ଜନ ଶତପଥୀ ତାହା ନିଜ ଜମି ବୋଲି କହି କାର୍ଯ୍ୟଟିକୁ ବନ୍ଦ କରାଇଥିବା ଜଣାଯାଇଛି। ଫଳରେ ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ମଧ୍ୟ ସେମାନଙ୍କ ପାରିଶ୍ରମିକ ପାଇପାରିନାହାଁନ୍ତି। ଲୋକପାଳ ତୁରନ୍ତ ଏହି ବିବାଦୀୟ ଜମିକୁ ଚିହ୍ନଟ କରି କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଆଠମଲ୍ଲିକ ବ୍ଲକରେ ମନରେଗା କାର୍ଯ୍ୟରେ ଯନ୍ତ୍ର ଦ୍ୱାରା କାର୍ଯ୍ୟ ଅଭିଯୋଗକୁ କଡାକଡି ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକପାଳ କହିଛନ୍ତି।

Share

Leave a Reply