୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଦଲାଲ ଗିରଫ

You are currently viewing ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଦଲାଲ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟରେ କାମ କରାଇ ଦେବାକୁ କହି ୩୦ ହଜାର ଟଙ୍କା ଠକି ନେଇଥିବା ଜଣେ ଦଲାଲଙ୍କୁ ପୁଲିସ ଶୁକ୍ରବାର ଗିରଫ କରିଛି।

ସୂଚନା ଯେ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିର ନରୋତ୍ତମ ଭୁତିଆ(୬୦) ନିଜର ପୈତୃକ ଜମିଜମାର ଆପୋଷ ଭାଗ ବଣ୍ଟରା କରିବାକୁ ଛେଣ୍ଡିପଦା ତହସିଲରେ ମେ ମାସ ୮ ତାରିଖରେ ଆବେଦନ କରିଥିଲେ। ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ ତାଙ୍କୁ ୪୫ ଦିନରେ ପଟ୍ଟା ହୋଇଯିବ ବୋଲି କହିଥିଲେ। ତେବେ ୨ ମାସପରେ ପଟ୍ଟା ନମିଳିବାରୁ ନରୋତ୍ତମ ମହିଳା କର୍ମଚାରୀଙ୍କୁ ପଚାରିଥିଲେ। ମହିଳା କର୍ମଚାରୀ ବିରକ୍ତ ହୋଇ ତାଙ୍କୁ ସେଠାରୁ ବିଦା କରିଦେଇଥିଲେ। ଏହାର କିଛି ସମୟପରେ ତହସିଲ କାର୍ଯ୍ୟାଳୟର କର୍ମଚାରୀ କହି ବିଦ୍ୟାଧର ସେନାପତି ବୋଲି ଜଣେ ବ୍ୟକ୍ତି ନରୋତ୍ତମଙ୍କୁ କହିଲା ମାଡ଼ାମ୍ କହିଛନ୍ତି ୩୦ ହଜାର ଟଙ୍କା ଦେଲେ ତମ ପଟ୍ଟା ହୋଇଯିବ। ଏହାପରେ ନରୋତ୍ତମ ବିଦ୍ୟାଧରଙ୍କୁ ୨୫ ହଜାର ଟଙ୍କା ଦେଲେ। ତେବେ ୧ ମାସପରେ ମଧ୍ୟ ପଟ୍ଟା ନ ମିଳିବାରୁ ନରୋତ୍ତମ ବିଦ୍ୟାଧରଙ୍କୁ ପଚାରିଥିଲେ। ବିଦ୍ୟାଧର କହିଥିଲେ ବାକିଥିବା ୫ ହଜାରର ଟଙ୍କା ଦେଲେ ତୁମ ପଟ୍ଟା ମିଳିବ। ଏହାପରେ ନରୋତ୍ତମ ବାଧ୍ୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ବିଦ୍ୟାଧରଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ବିଦ୍ୟାଧର ଜଣେ ଅବସର ପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କ ପୁଅ। ସେ ତହସିଲଦାରଙ୍କ ଘରେ ରୋଷେଇ କରନ୍ତି। ତେଣୁ ତହସିଲ କାର୍ଯ୍ୟାଳୟରେ ବିଦ୍ୟାଧରଙ୍କ ଅବାଧ ପ୍ରବେଶ ରହିଛି।

Share

Leave a Reply