ଅନୁଗୁଳ : ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ବଅଁରପାଳ ବ୍ଲକ କେନ୍ଦୁପଲ୍ଲୀ ଗାଁର ମହିଳା। ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କ ଗାଁରେ ବେଆଇନ ଭାବେ ମଦ ବିକ୍ରି କରାଯାଉଛି। ଏ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଗାଁର ପୁରୁଷମାନେ ମଦ ପିଇ ନିୟମିତ ମହିଳାଙ୍କୁ ବାଡ଼ିଆପିଟା କରୁଛନ୍ତି। ଏହି ମଦ ଯୋଗୁ ହିଁ ଘରୋଇ ହିଂସା ବଢ଼ୁଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ସେମାନଙ୍କ ଅଭିଯୋଗ ନ ଶୁଣିବାରୁ ଆଜି ବାଧ୍ୟ ହୋଇ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିବା କହିଛନ୍ତି। ବେଆଇନ ମଦ ଦୋକାନ ବନ୍ଦ ପାଇଁ ମହିଳାମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ମଦ ଦୋକାନ ବନ୍ଦ ନ ହେଲେ ସେମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ମହିଳାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
ବେଆଇନ୍ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
- Post published:May 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
