ଅନୁଗୁଳ:ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଇଲାକାରେ ଗୁରୁବାର ରାତିରେ ଦୁର୍ଘଟଣା ଘଟି ଜଣେ ବନ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିବା ବେଳେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ କରିଛନ୍ତି।ସୂଚନା ଯେ, ଗୁରୁବାର ରାତି ପ୍ରାୟ ୯ଟା ବେଳକୁ ଡେପୁଟି ରେଞ୍ଜର ଜୟନ୍ତ କୁମାର ସାହୁ(୪୪) ବାଇକ ଯୋଗେ ନିଜ ଗାଁ ହମାମିରା ଗ୍ରାମରୁ ବନ୍ତଳା ରେଞ୍ଜ ଅଫିସକୁ ଆସୁଥିଲେ।ତେବେ ସାରଙ୍ଗ ପୁର ନିକଟରେ ପୋଲ ଉପରେ ଥିବା ଏକ ଖାଲରେ ପଡ଼ିବାରୁ ତାଙ୍କ ବାଇକଟି ଭାରସାମ୍ୟ ହରାଇଥିଲା।
ସେଠାରେ ସେ ରାସ୍ତା ଉପରେ ଛିଟିକି ପଡିବା ପରେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶୁକ୍ରବାର ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିବା ସହ ରାସ୍ତା ମରାମତି ପାଇଁ ଅଡ଼ି ବସିଛନ୍ତି। ୨ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ହେଲା ରାସ୍ତା ଅବରୋଧ ହୋଇଥିଲା ବେଳେ ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଛି।