ଅନୁଗୁଳ: ଜଙ୍ଗଲ ଜଳୁଛି। କେବଳ ଆଠମଲ୍ଲିକ ବନଖଣ୍ଡରେ ଗୋଟିଏ ଦିନରେ ୪୦ଟି ସ୍ଥାନରେ ନିଆଁ ଲାଗିଛି । ଅବଶ୍ୟ, ଜଙ୍ଗଲ ବିଭାଗ ଏହି ନିଆଁକୁ ଆୟତ କରିବାରେ ସଫଳ ହୋଇଛି। ତଥାପି ନିଆଁ ଆଁ’ରେ ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଏପଟେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ଗ୍ରାମ୍ୟ କମିଟିର ସହଯୋଗ ଲୋଡ଼ିଛି। ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ(ଏଫଏସଆଇ) ରିପୋର୍ଟ ଅନୁସାରେ, ଆଜି ଭୋର ସମୟ ବେଳକୁ ଆଠମଲ୍ଲିକ ବନଖଣ୍ଡର ୪୦ ଟି ସ୍ଥାନରେ ନିଆଁ ଲାଗିଥିଲା। ଏଥିନେଇ ଆଠମଲ୍ଲିକ ବନଖଣ୍ଡକୁ ଜଣାଇ ଦିଆଯାଇଥିଲା। ଖବର ପାଇ ନିଆଁଲିଭା କାମ ଆରମ୍ଭ କରିଥିଲା ବିନ ବିଭାଗ। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ନିଆଁ ଲିଭାଇ ଦିଆଯାଇଥିବା ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ଏସ. ଆନନ୍ଦ ସୂଚନା ଦେଇଛନ୍ତି । ଅପରାହ୍ନରେ ଏଫଏସଆଇ ଦେଇଥିବା ରିପୋର୍ଟ ଅନୁସାରେ, ଆଠମଲ୍ଲିକ ବନଖଣ୍ଡର କୌଣସି ସ୍ଥାନରେ ଆଉ ନିଆଁ ନ ଥିବା ସେ କହିଛନ୍ତି। ଅପରପକ୍ଷରେ ଜଙ୍ଗଲରେ ନିଆଁ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ କମିଟି ସହ ଆଲୋଚନା କରାଯାଉଛି। ଜଙ୍ଗଲକୁ ଲାଗି କରି ରହିଥିବା ପ୍ରାୟ ଶହେ ଗାଁର ଲୋକମାନଙ୍କ ସହ ବୈଠକ ହୋଇଛି । ଶିକାରୀମାନେ ନିଆଁ ଲଗାଉଥିବାରୁ ସେମାନଙ୍କୁ ଏଥିନେଇ ସଚେତନ କରାଯାଉଛି। ଲୋକମାନଙ୍କୁ ସଚେତନ କରାଯିବା ସହ ନିଆଁ ଲଗାଇବାର କୁପରିଣତି ନେଇ ମଧ୍ୟ ଅବଗତ କରାଉଛି ।ବନ ବିଭାଗ ଇତି ମଧ୍ୟରେ ଆଠମଲ୍ଲିକ ବନଖଣ୍ଡରେ ନିଆଁ ଲିଭାଇବା ପାଇଁ ୫୦ଟି ସ୍କ୍ୱାଡ୍ ଗଠନ କରାଯାଇଛି। ଏଫଏସଆଇ ରିପୋର୍ଟ ମିଳିବା ମାତ୍ରେ ଏମାନେ ଗ୍ରାମବାସୀଙ୍କ ସହଯୋଗ ନେଇ ଜଙ୍ଗଲ ଲିଭାରେ ଲାଗୁଥିବା ଡିଏଫଓ କହିଛନ୍ତି।
1
f600b249-5c54-442c-a949-d6bc81000fab