ଅନୁଗୋଳ: ନିଜସ୍ୱ ଟିକସ ଆଦାୟରେ କୃତିତ୍ୱ ହାସଲ କରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନଏସିକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ ଓ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଏହି ପୁରସ୍କାର ଗ୍ରହଣ କରିଥିଲେ।
ଚଳିତବର୍ଷ ରାଜ୍ୟରେ ୮୦ ଭାଗରୁ ଊର୍ଦ୍ଧ୍ୱ ନିଜସ୍ୱ ଟିକସ ଆଦାୟ କରି ଆଠମଲ୍ଲିକ ଏନଏସି ଏହି ଗୌରବ ଅର୍ଜନ କରିଛି। କର୍ମଚାରୀଙ୍କ ନିଷ୍ଠାପର ପ୍ରୟାସ ଏବଂ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଅଧ୍ୟକ୍ଷା ମତପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି।











