ଅନୁଗୁଳ: ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସ୍ଥିତ ଅଦାଲତ ପରିସରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସବୁ ପ୍ରକାରର ବିଚାରାଧୀନ ମାମଲାର ଶୁଣାଣି ହୋଇପାରିବ। ସମ୍ପୂର୍ଣ୍ଣ ମାଗଣାରେ ଲୋକେ ଏଠାରେ ନ୍ୟାୟ ପାଇପାରିବେ। ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା ଯଥାବିଦ୍ୟୁତ୍ ଓ ଜଳ ପୈଠ ବିଲ ସମ୍ବନ୍ଧୀୟ ମାମଲା (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ
ବିବାଦ (ଛାଡ଼ପତ୍ର ବ୍ୟତୀତ)/ ପାରିବାରିକ ବିବାଦ, ଜମି ଅଧିଗ୍ରହଣ ମାମଲା, ଚାକିରି ସମ୍ବନ୍ଧୀୟ (ପେନସନ ମାମଲା ଅନ୍ତର୍ଭୁକ୍ତ), ରାଜସ୍ୱ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା(ଜିଲ୍ଲା କୋର୍ଟରେ ଓ ଜିଲ୍ଲା/ ତାଲୁକ୍ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିଚାରାଧୀନ) ବୌଦ୍ଧିକ ସମ୍ପତ୍ତି ଅଧିକାର ମାମଲା/ଖାଉଟି
ବିବାଦ/ ଅନ୍ୟାନ୍ୟ ବିବାଦ କୌଣସି ଅର୍ଥ -ନ୍ୟାୟିକ ପ୍ରାଧିକରଣ ନିକଟରେ ବିଚାରାଧୀନ, ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଆପୋଷ ସହମତିରେ ସମାଧାନ କରାଯାଇପାରିବ।
ଏହା ସହିତ ପ୍ରାକ-ମକଦ୍ଦମାସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ମାମଲା ତଥା ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡ଼ିକ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ)/ ପାରିବାରିକ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ। ଏଣୁ ଲୋକେ ଏହି ଲୋକ ଅଦାଲତକୁ ଆସି ବିବାଦ ତୁଟାଇବାକୁ କୋର୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି।