ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର କାହ୍ନୁ ଦେହୁରୀ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ସୂଚନା ଯେ, କାହ୍ନୁ ତାଳଚେର ଥାନା ଅନ୍ତର୍ଗତ ବାଲୁଗାଁର ନକୁଳ ବେହେରାଙ୍କ ଝିଅ ସୁପ୍ରଭାଙ୍କୁ ୨୦୧୭ ମସିହା ମେ’ ମାସରେ ବିବାହ କରିଥଲେ। ବିବାହ ବେଳେ ଦାବି ଅନୁସାରେ ୧ ଲକ୍ଷ ଟଙ୍କା, ୫ ଭରି ସୁନା, ଟିଭି, ଫ୍ରିଜ, ଆଲମିରାସହ ଅନ୍ୟାନ୍ୟ ଗୃହ ଉପକରଣ ଦେଇଥିଲେ। ତେବେ ବିବାହର କିଛିମାସପରେ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ଦାବିକରି ପରିବାର ଲୋକଙ୍କ କଥାରେ କାହ୍ନୁ ତାଙ୍କ ସ୍ତ୍ରୀ ସୁପ୍ରଭାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଲେ। ତେବେ ଗତ ୨ ଦିନ ତଳେ ସୁପ୍ରଭା ତାଙ୍କ ମା’ ନଳିନୀ ବେହେରାଙ୍କୁ ଫୋନ୍ କରି କହିଲେ ୨/୩ ଦିନ ଭିତରେ ଟଙ୍କା ନ.ଦେଲେ ସେମାନେ ମୋତେ ମାରି ଦେବେ ବୋଲି ଯୋଜା କରୁଛନ୍ତି। ଏହାପରେ ଗୁରୁବାର ସକାଳେ ନଳିନୀ ଖବର ପାଇଲେ ଯେ, ତାଙ୍କ ଝିଅର ମୃତ୍ୟୁ ହୋଇଛି। ଏ ନେଇ ଖବର ପାଇ ସେମାନେ ଅନୁଗୁଳ ଚିକିତ୍ସାଳୟରେ ପହଞ୍ଚି ଦେଖିଲା ବେଳେକୁ ଝିଅର ମୃତ୍ୟୁ ହୋଇଛି। ତାଙ୍କ ଝିଅକୁ ମାରି ଦିଆଯାଇଛି ବୋଲି ନଳିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀ କାହ୍ନୁଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ଯୌତୁକ ପାଇଁ ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ
- Post published:February 17, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
Tags: Angul