ମା’ ଧନଦାତ୍ରୀ ନେଲେ ମେଲାଣି: ସମ୍ମିଳିତ ଭସାଣି ଦେଖିବାକୁ ଜନ ସମୁଦ୍ର

You are currently viewing ମା’ ଧନଦାତ୍ରୀ ନେଲେ ମେଲାଣି: ସମ୍ମିଳିତ ଭସାଣି ଦେଖିବାକୁ ଜନ ସମୁଦ୍ର

ଅନୁଗୁଳ: ଆଜି ଅନୁଗୁଳରେ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ସମ୍ମିଳିତ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣିରେ ଭାଗ ନେଉଥିବା ପୂଜା କମିଟି ପକ୍ଷରୁ ଅପରାହ୍ନ ତିନିଟା ସୁଦ୍ଧା ମେଢ଼ ଗୁଡ଼ିକ ଥାନା ଛକରେ ପହଞ୍ଚିବା ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକ୍ରମ କେଶରୀ ଭୋଇ,ଡିଏସପି ଅକ୍ଷୟ କୁମାର ପଣ୍ଡା, ଏସଡିପିଓ ରମାକାନ୍ତ ମହାଳିକ ଏବଂ ଆଇଆଇସି ଧୀରେଶ କୁମାର ଦାସଙ୍କ ସହ ପୂଜା କମିଟିର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଭସାଣି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। କେତେକାଂଶରେ ବ୍ୟତିକ୍ରମ ହୋଇଥିଲେ ମଧ୍ୟ ଆଗପଛ ହୋଇ କମିଟିର ପୂଜା ପଟୁଆର ଗୁଡ଼ିକ ବିସର୍ଜନ ଉପଲକ୍ଷେ ବାହାରିଥିଲେ। ଶୋଭାଯାତ୍ରା ଥାନା ଛକରୁ ବସ୍ ଷ୍ଟାଣ୍ଡ ବଜାର ଦେଇ ଯାଇଥିଲା । ଘଣ୍ଟ,ଘଣ୍ଟା,ଶିଙ୍ଗ ବାଜା,ଢୋଲ,ମ୍ୟୁଜିକାଲ,ବାଘ ନାଚ,ଲୋକନୃତ୍ୟ,ରେକର୍ଡ ଡ୍ୟାନସ, ବନାଟି ଖେଳ ଦେଖିବାକୁ ଅନୁଗୁଳ ସହର ଜନ ସମୁଦ୍ର ପାଲଟି ଯାଇଥିଲା। ରାସ୍ତାର ଦୁଇ କଡ଼ରେ ହଜାର ହଜାର ଭକ୍ତ ଠିଆ ହୋଇ ମା’ଙ୍କୁ ମେଲାଣି ଦେଇଥିଲେ। ଚଳିତ ବର୍ଷ ଡିଜେ ସାଉଣ୍ଡ ପ୍ରଭାବ ନ ଥିବାରୁ ଲୋକେ ଶାନ୍ତି ରେ ଭସାଣି ଉପଭୋଗ କରିଥିଲେ। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାତି ଦଶଟା ସୁଦ୍ଧା ଭସାଣି ସମାରୋହ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି ।

Share

Leave a Reply