ଅନୁଗୁଳ: ତାଳଚେର ହିଙ୍ଗୁଳା ପୀଠରେ ପ୍ରସିଦ୍ଧ ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଛି। ଗୋପାଳପ୍ରାଦ ସ୍ଥିତ ମା’ଙ୍କ ପୀଠରେ ଅନୁଷ୍ଠିତ ଏହି ଜନ୍ତାଳ ପୂଜାରେ ଅପରାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଡାକୁଆମାନେ ଏକ ଶୋଭାଯାତ୍ରାରେ ପତିଆରଙ୍କ ଘରକୁ ଯାଇଥିଲେ । ପତିଆର ନିକଟସ୍ଥ ପୁଷ୍କରିଣୀରେ ସ୍ନାନ କରି ସେ କୁଟେଇଶୁଣି ମଣ୍ଡପକୁ ଯାତ୍ରା କରିଥିଲେ । ତାଳଚେର ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପରିଧାନ କରିବା ପରେ ପତିଆରଙ୍କୁ ଦେବୀ ରୂପରେ ଷୋଡ଼ଶ ଉପଚାର ବିଧି ଅନୁଯାୟୀ ପୂଜା କରାଯାଇଥିଲା। ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା’ ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ବନ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥାନ୍ତି । ପୂର୍ବ ସୂଚନା ଅନୁଯାୟୀ ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀ ଚିହ୍ନଟ କରିଥାନ୍ତି । ପାରମ୍ପରିକ ବାଦ୍ୟ ଢୋଲ, ନିଶାଣ, ମହୁରୀର ଶବ୍ଦ ସହ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ତେବେ କରୋନା ମହାମାରୀ ପାଇଁ ଜନସମାଗମ ନ ହେବାକୁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଥିବାରୁ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା। ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଚଳିତ ଅପ୍ରେଲ ମାସ ୨୬ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ ଆଜି ମଧ୍ୟ ରାତ୍ରରେ ମା’ ହିଙ୍ଗୁଳାଙ୍କ ଉଦ୍ଭାସ୍ଥଳୀ ଚିହ୍ନଟ ହୋଇଥଲା।
ତାଳଚେର ହିଙ୍ଗୁଳା ପୀଠରେ ଜନ୍ତାଳ ପୂଜା, ମଧ୍ୟରାତ୍ରରେ ମା’ଙ୍କ ଉଦ୍ଭାସ୍ଥଳୀ ଚିହ୍ନଟ
- Post published:April 19, 2021
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Sanjeeb Biswal


