ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଛି। ମା’ଙ୍କ ମୁଖ୍ୟ ପୂଜକଙ୍କ ଘରୁ ଦିବା ୧.୪୫ରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣୀ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ମା’ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଜଣା ଓ ସ୍ନାନ ପରେ ଶାବର ମତରେ ପୂଜା ଅର୍ଚ୍ଚନା କରିଥିଲେ। ପୂଜା ପରେ ଦୁଇ ଜଣ ପାଇକ ଠାକୁରାଣୀଙ୍କ ପାଟଖଣ୍ଡା ଓ ଆଜ୍ଞାମାଳ ସହିତ ପାଟଣା ସାହିରେ ଥିବା ପତିଆରଙ୍କ ବାସଗୃହକୁ ଡାକି ଯାଇଥିଲେ।
ବିଧି ଅନୁଯାୟୀ, ପାଇକମାନେ ତିନି ଥର ଡାକିଲା ପରେ ପତିଆର ସ୍ନାନାଦି କର୍ମ ସମାପନ କରି ପୂଜା ମଣ୍ଡପକୁ ବିଜେ କରିଥିଲେ। ମୁଖ୍ୟ ଦେହୁରୀଙ୍କ ହସ୍ତରୁ ପାଣି ନେଇ ପତିଆର ପଂଚାଙ୍ଗ ଧୌତ ପରେ ପୂଜା ପିଢ଼ ସମ୍ମୁଖରେ ତାଳଚେର ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପରିଧାନ କରି ଆସନ ଗ୍ରହଣ କରିଥିଲେ। ଏହା ପରେ ଦେହୁରୀ ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାର ବିଧି ଅନୁଯାୟୀ ପୂଜା କରିଥିଲେ। ପାରମ୍ପରିକ ଢୋଲ, ନିଶାଣ, ମହୁରୀ ଆଦି ବାଦ୍ୟ ନାଦ ମଧ୍ଯରେ ପତିଆରଙ୍କ ମସ୍ତକରେ ଗୁଡ଼ର ସହସ୍ରଧାର ଢଳା ଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜାକୁ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା କୁହାଯାଏ। ପତିଆରଙ୍କ ଠାରେ ଦେବୀ ଆବିର୍ଭୂତ ହୋଇ ମା’ ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ବଦ୍ଧରେ ସୂଚନା
ଦେହୁରୀଙ୍କୁ ଦେଇଥାନ୍ତି। ପୂର୍ବ ସୂଚନାକୁ ଆଧାର କରି ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀକୁ ଚିହ୍ନଟ କରିଥାନ୍ତି।
ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ସମୀର କୁମାର ଜେନା ଉପସ୍ଥିତ ରହି ଉତ୍ସବର ତଦାରଖ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମା’ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟଙ୍କ ସମେତ ରାଜେନ୍ଦ୍ର କୁମାର ସିଂହ, ଜଗନ୍ ମୋହନ ଗଡ଼ନାୟକ, ସେବାୟତ ଅଭୟ ପତିଆର, ଦିଲେଶ୍ଵର ସାମଲ, ହାଡ଼ିବନ୍ଧୁ ମହାନ୍ତି, ମୁଚିଆ ଦେହୁରୀ, ବାୟା ବାରିକ, ଦୁର୍ଗାଚରଣ ବାରିକ, ମୂରଲୀ ଗଡ଼ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପ୍ରକାଶ ଯେ ମା’ଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୧ତମ ଲୋକ ମହୋତ୍ସବ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ସମାପନ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।