ଅନୁଗୋଳ: ତାଳଚେରର ପୂର୍ବତନ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଅନୁଗୋଳର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି। ସେ ପୂର୍ବତନ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯୋଗଦାନ ପରେ ତାଙ୍କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ଶ୍ରୀ ସାହୁ ଏହା ପୂର୍ବରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ କାର୍ଯ୍ୟରତ ଥିଲେ, ତା’ ପୂର୍ବରୁ ତାଳଚେର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଶିଳ୍ପ ସମୃଦ୍ଧ ଅନୁଗୋଳରେ ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ କାର୍ଯ୍ୟ କରିବେ।
ସେହିପରି ଟ୍ରାଫିକ ସମସ୍ୟା ଦୂରୀକରଣ ସହ ଟ୍ରକ୍ ଟର୍ମିନାଲ ପାଇଁ ଖାଲି ସ୍ଥାନ ଚିହ୍ନଟ କରାଯିବ, ଯାହାଦ୍ୱାରା ରାସ୍ତା ପାର୍ଶ୍ୱରେ ଟ୍ରକ୍ ପାର୍କିଂରେ ରୋକ୍ ଲାଗିବ। ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯିବ। ସ୍ୱାସ୍ଥ୍ୟ ଓ ଶିକ୍ଷାର ଅଭିବୃଦ୍ଧି ସହ ବିସ୍ଥାପନ ଓ ଥଇଥାନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ କମ୍ପାନୀ ସହ ନିୟମିତ ବୈଠକ କରାଯିବ, ଯଦ୍ୱାରା ଜିଲ୍ଲାର ବିକାଶ ହେବା ସହ ଖଣି ଖନନ ସମାନ୍ତରାଳ ଭାବେ ଚାଲିପାରିବ।
ପ୍ରକାଶ ଯେ, ଅନୁଗୋଳର ପୂର୍ବତନ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି ହୋଇଛି।












