ଇଣ୍ଟରନେଟ୍ ନାହିଁ: ୩ ମାସ ହେଲା ରାସନରୁ ବଞ୍ଚିତ ୯୦୪ ହିତାଧିକାରୀ

You are currently viewing ଇଣ୍ଟରନେଟ୍ ନାହିଁ: ୩ ମାସ ହେଲା ରାସନରୁ ବଞ୍ଚିତ ୯୦୪ ହିତାଧିକାରୀ

ଅନୁଗୋଳ: ଇଣ୍ଟରନେଟ୍ ସଂଯୋଗ ନଥିବାରୁ ଅନଲାଇନ୍ ପଞ୍ଜୀକରଣ ହୋଇପାରୁନାହିଁ। ଫଳରେ ତିନି ମାସ ଧରି ସରକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ୯୦୪ ଜଣ ହିତାଧିକାରୀ। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ ଝରାବେଡ଼ା ଗ୍ରାମ ପଞ୍ଚାୟତରୁ।
ସୂଚନା ଅନୁଯାୟୀ, ଝରାବେଡ଼ା ପଞ୍ଚାୟତରେ ରାସନ ବଣ୍ଟନ ପାଇଁ ଆବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ହେଲେ ଇଣ୍ଟରନେଟ୍ ସଂଯୋଗ ନଥିବାରୁ ମେସିନ୍‌ରେ ଅନଲାଇନ୍ ପଞ୍ଜୀକରଣ ହୋଇପାରୁନଥିବା ଯୋଗୁଁ ହିତାଧିକାରୀମାନେ ରାସନ ନେଇପାରୁନାହାନ୍ତି। ତିନି ମାସ ଧରି ଏହି ସମସ୍ୟା ଲାଗିରହିଥିବା ଅଭିଯୋଗ ହୋଇଛି।

ସ llମସ୍ୟାର ସମାଧାନ ପାଇଁ ହିତାଧିକାରୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଏନେଇ ଅଭିଯୋଗ ପାଇବା ପରେ ପାଳଲହଡ଼ା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସମସ୍ୟା ସମ୍ପର୍କରେ ତଥ୍ୟ ନେଇଥିଲେ। ହିତାଧିକାରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଅଫ୍‌ଲାଇନ୍‌ରେ ରାସନ ସାମଗ୍ରୀ ଯୋଗାଇଦେବାକୁ ସେ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

ଏ ସମ୍ପର୍କରେ ଉପଖଣ୍ଡ ଯୋଗାଣ ଅଧିକାରୀ ହେମନ୍ତ କୁମାର ବେହେରା କହିଛନ୍ତି ଯେ, ଅଫ୍‌ଲାଇନ୍‌ରେ ରାସନ ସାମଗ୍ରୀ ବଣ୍ଟନ ପାଇଁ ବର୍ତ୍ତମାନ ସରକାରୀ ବ୍ୟବସ୍ଥା ନାହିଁ। ତେବେ ଝରାବେଡ଼ା ପଞ୍ଚାୟତରେ ଦେଖାଦେଇଥିବା ଇଣ୍ଟରନେଟ୍ ଓ ଅନଲାଇନ୍ ପଞ୍ଜୀକରଣ ସମସ୍ୟା ସମ୍ପର୍କରେ ବିଭାଗକୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Share

Leave a Reply