ତାଳଚେର: ଆଜିଠୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆରମ୍ଭ ହୋଇଛି।
ନଅଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ପ୍ରାୟ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ ଅଗ୍ନିରୂପା ମା ହିଙ୍ଗୁଳା ମନ୍ଦିରର ପଶ୍ଚାତ୍ ଭାଗ ତଥା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ଚାରିଶହ ମିଟର ଦୂରରେସ୍ଥିତ ଅରା ବାଉଁଶ ବଣି ନିକଟରେ ଆବିର୍ଭୂତ ହୋଇଛନ୍ତି। ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଉଭାସ୍ଥଳୀକୁ ଆଜି ବଡି ଭୋରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା।
ଅପରାହ୍ନରେ ମା’ଙ୍କ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଦିଅଁ ଘରୁ ବଡ ମଣ୍ଡପ( ହିଙ୍ଗୁଳା ମନ୍ଦିର)କୁ ଅଣାଯାଇଥିଲା। ସେଠାରେ ମା ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ପ୍ରମୁଖ ଶାବରୀ ମତରେ ପୂଜା କରିଥିଲେ। ଏହାପରେ ମାଆଙ୍କ ଚଳନ୍ତି ପ୍ରତିମା ଆଲମକୁ ଉଭାସ୍ଥଳୀକୁ ନେଇ ପୂଜାର୍ଚ୍ଚନା କରାଯାଇଥିଲା।
ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶିଶୁମାନଙ୍କ ଚୁଟି ମୁଣ୍ଡନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଶାଳବଣିଆ ଛକଠାରୁ ଗୋପାଳପ୍ରସାଦ ସିଙ୍ଗଡା ବ୍ରିଜ ପର୍ଯ୍ୟନ୍ତ ରାସ୍ତାକଡର ବିଭିନ୍ନ ସ୍ଥାନରେ ଶିଶୁମାନଙ୍କର ଚୁଟି ମୁଣ୍ଡନ କରିଥିଲେ।
ଚଳିତ ବର୍ଷ ମନ୍ଦିର ପରିସରରେ ଦୀପ ପ୍ରଜ୍ଜ୍ୱଳନକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷେଧ କରାଯାଇଥିବା ସତ୍ତ୍ଵେ ଭକ୍ତମାନେ ମା’ଙ୍କ ପୀଠ ପରିସରରେ ଦୀପ ଜାଳିଥିଲେ। ଭିଡ଼କୁ ନିୟନ୍ତ୍ରଣ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି।
ଅନ୍ୟପଟେ ଆଞ୍ଚଳିକ ଠିକା ମଜଦୁର ସଂଘ, ମହାନଦୀ କୋଲଫିଲ୍ସ୍ ଠିକାଦାର ସଂଘ, ତାଳଚେର ଓ କଣିହାଁ ବ୍ଲକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ,ବମହେଶ କୁମାର ଅଗ୍ରୱାଲ, ମା ହିଙ୍ଗୁଳା ଅନ୍ନ ବସ୍ତ୍ର କମିଟି ଆଦି ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ ବିତରଣ କରାଯାଇଥିଲା ।
ଏଥିସହ ବହୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାନୀୟ ଜଳ, ଦହି ସରବତ, ତରଭୁଜ, ଆଖୁରସ ଆଦି ବଂଟନ କରାଯାଇଥିଲା।
ମନ୍ଦିର ପରିସରରେ ଥିବା ପଡିଆରେ ପ୍ରାୟ ଚାରି ଶହ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ସେଥିରେ ଖାଦ୍ୟ, ଫାଷ୍ଟ ଫୁଡ, ମନୋହରୀ ସାମଗ୍ରୀ, ଖେଳନା, ଘରକରଣା ସାମଗ୍ରୀ ତଥା କାଠ ତିଆରି ଘରୋଇ ଉପକରଣ ଆଦି ବିକ୍ରି ହେଉଛି। ଚଳିତ ବର୍ଷ ଯାତ୍ରାରେ ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେଉଛି। ମା’ ହିଙ୍ଗୁଳାଙ୍କ ଏହି ଅନନ୍ୟ ଯାତ୍ରା ଚଳିତ ମାସ ୧୨ ତାରିଖ ଦିନ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।