ଅନୁଗୋଳ: ତାଳଚେର ପୌରପରିଷଦରେ ଧୂଳି ନିୟନ୍ତ୍ରଣ ଓ ସଫେଇ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଏକ ଅତ୍ୟାଧୁନିକ ଯାନ୍ତ୍ରିକ ସଫେଇ ଗାଡ଼ିର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ‘ଜାଗୃତି ତାଳଚେର’ ନାମକ ଏହି ଗାଡ଼ିକୁ ନଗରପାଳ ଶ୍ରୀ ଭୂତିଆ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଜାଗୃତି ସଂସ୍ଥା ଦ୍ୱାରା ପରିଚାଳିତ ଏହି ଯାନ ସହରର ମୁଖ୍ୟ ରାସ୍ତାଗୁଡ଼ିକରୁ ଧୂଳି ସଫା କରିବ।
ପ୍ରକାଶ ଥାଉ କି, ରାଜ୍ୟର ଅନ୍ୟତମ ପ୍ରଦୂଷିତ ସହର ଭାବେ ପରିଚିତ ତାଳଚେରରେ ନଗରପାଳଙ୍କ ପ୍ରଚେଷ୍ଟାରେ ଦୈନିକ ଦୁଇଓଳି ରାସ୍ତା ଓ ଡ୍ରେନ୍ ସଫେଇ କାର୍ଯ୍ୟ ଜୋରଦାର କରାଯାଇଛି। ଆଗକୁ ଗଣେଶ ପୂଜା ଥିବାରୁ ସହର ଚଳଚଞ୍ଚଳ ରହିଥିବା ବେଳେ ଏହି ନୂତନ ପଦକ୍ଷେପକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ପୌରପରିଷଦର କାଉନସିଲରମାନେ ଉପସ୍ଥିତ ଥିଲେ। ନଗରପାଳ ଏହି ସଫେଇ ଅଭିଯାନ ପାଇଁ ରାଜ୍ୟ ସରକାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଢେଙ୍କାନାଳ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି।











