ଆଠମଲ୍ଲିକ : ଆଠମଲ୍ଲିକ ମିନି ଷ୍ଟାଡିୟମ ଖେଳ ପଡିଆରେ ରବିବାର ମେଗା ଆଇନସେବା ସଚେତନତା ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ତାଲୁକ ଆଇନସେବା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ବିଶ୍ୱାଳ, ଉପଜିଲ୍ଲାପାଳ ତରଣୀ ସୁନା ଯୋଗଦେଇଥିଲେ।
ଏ ଅବସରରେ ଜିଲ୍ଲା ଦୌରାଜଜ ପ୍ରଥମେ ଶିବିରରେ ନିର୍ମାଣ ହୋଇଥିବା ଷ୍ଟଲକୁ ଫିତାକାଟି ଉଦଘାଟିତ କରିବା ପରେ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟିତ କରିଥିଲେ। ଏହାପରେ ଜାତୀୟ ଆଇନସେବା କ୍ଷମତା ବିଷୟବସ୍ତୁ ଥିବା ସଂଗୀତ ଗାନ କରାଯାଇଥିଲା। ଏସଡିଜେଏମ ମାନସୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ଶ୍ରୀକାନ୍ତ ମାହାରଙ୍କ ଦ୍ୱାରା ରଚିତ ବାଳିକା ଶିଶୁ ଶୋଷଣ ଉପରେ ଆଧାରିତ ସଚେତନତା କାର୍ଯ୍ୟକ୍ରମ “ଜାଗୃତି” କୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀମାନେ ପରିବେଷଣ କରିଥିଲେ। ସେହିପରି କିଆକଟା ୟୁପି ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ନାରୀ ସଶକ୍ତିକରଣ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ବାହାଳୀ ୟୁପି ସ୍କୁଲ ଛାତ୍ରୀମାନେ ନାରୀଶିକ୍ଷା ଉପରେ ସଚେତନ କରିଥିଲେ।
ଅତିଥିମାନେ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ଓ ହ୍ବିଲ ଚେୟାର ପ୍ରଦାନ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ବିବାହ ସହାୟତା, ଜମିପଟ୍ଟା, ଶ୍ରମକାର୍ଡ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଜନା ବଣ୍ଟନ କରାଯାଇଛି। ଶିବିରରେ ସମୁଦାୟ ୩୬ ଟି ସରକାରୀ ବିଭାଗର ଷ୍ଟଲ କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜଜ ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ, ସବଜଜ ବିନୋଦ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ତହସିଲଦାର ଯଶୋବନ୍ତ ଦେହୁରୀ, କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ବେହେରା, ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର ଓ ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଆଠମଲ୍ଲିକ ସିଭିଲ କୋର୍ଟରେ କାର୍ଯ୍ୟରତ ଆଇନଜୀବୀ ସହ ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ।