ପାଳଲହଡ଼ା: ପୁଣି କାମାନ୍ଧ ସମ୍ପର୍କୀୟ ଲୁଟିଲା କୁନି ଝିଅର ସର୍ବସ୍ବ। ଝିଆରୀର ରକ୍ଷା କବଚ ସାଜିବା ବଦଳରେ ଖୋଦ କକା ପାଲଟିଗଲା ପିଶାଚ। ପାଞ୍ଚ ବର୍ଷର କୁନି ଝିଅକୁ କଲା ଦୁଷ୍କର୍ମ। ଏଭଳି ଛାତିଥରା ଅମାନୁଷିକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅଞ୍ଚଳରେ।
ଶୁକ୍ରବାର ସନ୍ଧ୍ଯାରେ ପାଳଲହଡା ଥାନା ଅନ୍ତର୍ଗତ ମୁକ୍ତାପୁର ଗ୍ରାମର ଜଣେ ୫ବର୍ଷର ଝିଆରୀକୁ ସମ୍ପର୍କୀୟ କକା ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଗ୍ରାମର ଉଦୟ ନାୟକ ନାବାଳିକା ଝିଆରୀକୁ ପାଖ ଦୋକାନରୁ କୁର୍କୁରେ ଖାଇବାକୁ କହି ନେଇଯାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡି ଘରେ ଦୁଷ୍କର୍ମ କରିଥିଲା। ଦୀର୍ଘ ସମୟ ଧରି ଝିଅ ଘରକୁ ନଫେରିବାରୁ ବାପା ମା ଓ ପରିବାର ଲୋକ ଖୋଜାଖୋଜି କରିଥିଲେ। ପରେ ଅଙ୍ଗନବାଡି ଘର ନିକଟରେ ଉଦୟ କୁନି ଝିଅର ହାତକୁ ଧରିଥିବା ଦେଖି ଝିଅକୁ ନେଇ ଆସିଥିଲେ।
ଝିଅ ଘରକୁ ଆସିବା ପରେ ପରିବାର ଲୋକଙ୍କୁ ସବୁ କଥା କହିଥିଲା। ଏକଥା କାହାକୁ କହିବୁନି ବୋଲି କକା ଧମକ ଦେଇଥିଲା ବୋଲି ବି ସେ ପ୍ରକାଶ କରିଥିଲା। ଝିଅ ଠାରୁ ସବୁ କଥା ଶୁଣିସାରିବା ପରେ ତା ମା’ ଅଭିଯୁକ୍ତ ଉଦୟ ବିରୋଧରେ ପାଳଲହଡା ଥାନାରେ ଏତଲା ଦେଇଥିଲା। ଏତଲା ଆଧାରରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।