ଦୁନିଆ ଯେତିକି ଆଗକୁ ଆଗକୁ ଯାଉଛି, ଆମେ ସେତିକି ସେତିକି ନିଜ ପରମ୍ପରା ସଂସ୍କୃତିକୁ ଭୁଲି ଚାଲିଛେ। ସବୁ ଜିନିଷରେ ଏବେ ଆଧୁନିକତାର ଛାପ ବାରି ହୋଇପଡୁଛି। ଆଗ କାଳର ଘର ଦ୍ୱାର ବି ଏବେ ଧୀରେ ଧୀରେ ନିଶ୍ଚିହ୍ନ ହୋଇଗଲାଣି। ପୂର୍ବରୁ ଚାଳ ଛପର ଲମ୍ବା ଖଞ୍ଜା ଘର ଆଭିଜାତ୍ୟର ପରିଚୟ ଦେଉଥିଲା। କିନ୍ତୁ ଏବେ ତାର ସ୍ଥାନ ନେଇସାରିଲାଣି ବହୁ ତଳ ପ୍ରାସାଦ।
ସତ୍ତା ହରାଇ ବସିଥିବା ଏଇ ଖଞ୍ଜାଘରର ଇତିହାସ ବହୁତ ଲମ୍ବା। ଫକୀର ମୋହନଙ୍କ ଗଳ୍ପ ଉପନ୍ୟାସ ହେଉକି ସେଦିନର କାହାଣୀକାରମାନଙ୍କର ଲେଖନୀ, ସବୁଥିରେ ସ୍ଥାନ ପାଇଥିଲା ଖଞ୍ଜା ଘର।
ଆଗ କାଳରେ ମାଟିକାନ୍ଥ ଘେରା ବଖରା, ମଝିରେ ବିରାଟ ଅଗଣା, ସାମ୍ନାରେ ଉଚ୍ଚ ପିଣ୍ଡା, ଘରକୁ ଟେକି ଧରିଥିବା ମଜଭୁତ କାଠ ଖୁଣ୍ଟ, ପିଣ୍ଡା ତଳେ ଦି ଯୋଡ଼ା ବଳଦ ଥିଲା ପ୍ରତିପତ୍ତି ଆଉ ଆଭିଜାତ୍ୟର ପରିଚୟ। ଏତିକି ଜିନିଷ ଥିବା ଘରର ଲୋକଙ୍କର ସମାଜରେ ଥିଲା ଭିନ୍ନ ସମ୍ମାନ।। କିନ୍ତୁ ସେ ଦିନର ଖଞ୍ଜାଘର ଏବେ ପ୍ରାୟତଃ ବିଲୁପ୍ତ। କାଁ ଭାଁ କୋଉଠି କେମିତି ଏଭଳି ଘର ଏବେ ନଜର ପଡୁଛି।
ଆଜିର ଆଧୁନିକତାର ନୂତନ ଯୁଗରେ ଏସବୁ ହଜିଗଲାଣି। କାରଣ କେହି ଏବେ ମାଟି କାଦୁଅ ହେବାକୁ ପସନ୍ଦ କରୁନାହାନ୍ତି କି ବର୍ଷକୁ ଥରେ ଚାଳ ଛପର କରିବା ମୁଣ୍ଡ ବିନ୍ଧା ନେବାକୁ ଚାହୁଁ ନାହାନ୍ତି। ଲୋକଙ୍କ ଜୀବନ ଧାରା ବଦଳିଛି ଆଉ ତା ସହ ବଦଳିଛି ରହଣି। ଏବେ ଖଞ୍ଜା ଘରର ସ୍ଥାନ ନେଇଛି ସୁନ୍ଦର ସୁନ୍ଦର କଂକ୍ରିଟ ଅଟ୍ଟଳିକା। ସୁରମ୍ୟ ରାଜପ୍ରାସାଦ ଭଳି ନଅର ତୋଳି ଖଞ୍ଜାଘରର ମୋହ ତୁଟାଇ ସାରିଥିବା ଆଜିର ପିଢ଼ି ଶଙ୍ଖ ମଲ ମଲ କୋଠା ଘର କରିବାକୁ ପସନ୍ଦ କରୁଛନ୍ତି। ଫଳରେ ଧୀରେ ଧୀରେ ହଜିଯାଉଛି ପ୍ରାକୃତିକ ଥଣ୍ଡା ଦେଉଥିବା ପୁରୁଖା ଚାଳ ଖଞ୍ଜା ଘର। ଆଉ କିଛି ବର୍ଷ ପରେ ସମ୍ପୂର୍ଣ୍ଣ ଭାବେ ଖଞ୍ଜା ଘର ହଜିଯିବ, ଏଥିରେ କୌଣସି ସନ୍ଦେହ ନାହିଁ।