ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ତାବଡା ଗ୍ରାମରେ ମନଇଚ୍ଛା ସରକାରୀ କାମ ହେଉଥିବା ନେଇ ଅଭିଯୋଗ ହୋଇଛି। ଏଠାରେ ଗତ କିଛିଦିନ ହେଲା ତାବଡା ଠାରୁ ଗାନ୍ଧୀନଗର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲିଛି। ମନରେଗା ଯୋଜନାରେ ଏହି କାର୍ଯ୍ୟ କରାଯାଉଥିବା ଗ୍ରାମବାସୀ କହିଛନ୍ତି। କିନ୍ତୁ କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ନାହିଁ। ଅନ୍ୟପଟେ ଏହି କାର୍ଯ୍ୟକୁ ଲୋକଙ୍କ ବଦଳରେ ଜେସିବି ଓ ଟ୍ରାକ୍ଟର ଲଗାଯାଇ ରାତିରେ କରାଯାଉଥିବା ଜଣାଯାଇଛି। ଗ୍ରାମବାସୀ ଏହି କାର୍ଯ୍ୟ ମନରେଗା ଯୋଜନାରେ ହେଉଥିବା କହୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ କିନ୍ତୁ ମନା କରାଯାଇଛି। କାର୍ଯ୍ୟ ପାଇଁ ଜିଲ୍ଲାପାଳ ଅନୁମୋଦନ କରିନାହାନ୍ତି କି ସିକ୍ୟୁର କୋଡ଼ିଙ୍ଗ ମଧ୍ୟ କରାଯାଇନାହିଁ। ଜିଲ୍ଲାପାଳଙ୍କ ପାଖକୁ ଅନୁମୋଦନ ପାଇଁ ଯାଇଥିବା କାର୍ଯ୍ୟଗୁଡିକୁ ରାଜନୈତିକ ବ୍ୟକ୍ତିମାନେ ଅନୁମୋଦନ ପୂର୍ବରୁ ହିଁ ଶ୍ରମିକ ବଦଳରେ ମେସିନ ଲଗାଇ ସାରିଦେଉଥିବା ଜଣାଯାଇଛି। ପରେ ଏହି କାର୍ଯ୍ୟଗୁଡିକୁ ବ୍ଲକ କର୍ମଚାରୀଙ୍କୁ ହାତକରି ରେଗୁଲାରାଇଜ କରାଇ ନେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ହେଲେ କାମ ମନରେଗା ଯୋଜନାରେ ହେଉନାହିଁ ବୋଲି କୁହାଯାଉଛି।
ପ୍ରକାଶ ଯେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ରେ ବ୍ଲକ ପ୍ରଶାସନର ଅନୁମତି କ୍ରମେ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥାଏ। ମନରେଗା କାର୍ଯ୍ୟକୁ ଶ୍ରମିକଙ୍କ ଦ୍ୱାରା କରାଯିବା ଓ ପାରିଶ୍ରମିକ ବାବଦ ଅର୍ଥ ଇ -ମଷ୍ଟରୋଲରେ ଦସ୍ତଖତ କରାଯାଇ ପୈଠ କରାଯିବାକୁ ସରକାରୀ ନିୟମ ରହିଛି। କାର୍ଯ୍ୟ ଆରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସିମେଣ୍ଟ କଂକ୍ରିଟ ଓ ଇଟାରେ ସୂଚନା ଫଳକ ରହିବା ନିହାତି ଜରୁରୀ। କିନ୍ତୁ ଏହି ମନରେଗା କାର୍ଯ୍ୟଗୁଡିକରେ କାର୍ଯ୍ୟ ପୂର୍ବରୁ ସୂଚନା ଫଳକ ଲଗାଯାଉନଥିବା ଜଣାଯାଇଛି। ଫଳରେ ସରକାରୀ ଅର୍ଥକୁ ଭୁଲ ବାଟରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ତୁରନ୍ତ ତଦନ୍ତ ପାଇଁ ଆଠମଲ୍ଲିକ ବ୍ଲକବାସୀ ଦାବି କରିଛନ୍ତି।
ଠାକୁରଗଡ଼ ପଞ୍ଚାୟତ ତାବଡା ଗ୍ରାମରେ ମନରେଗା କାର୍ଯ୍ୟରେ ଅନିୟମିତତା ଘଟଣାକୁ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଏଭଳି କୌଣସି କାର୍ଯ୍ୟ ମନରେଗା ଯୋଜନାରେ କରାଯାଉନାହିଁ ବୋଲି କହିଛନ୍ତି।