୧୫ ରୁ ୨୩ ଯାଏଁ ନାଲ୍‌କୋ ନଗରରେ ବସୁଛି ପଲ୍ଲିଶ୍ରୀ ମେଳା, ପଡ଼ିବ ୨୨୦ ଟି ଷ୍ଟଲ

You are currently viewing ୧୫ ରୁ ୨୩ ଯାଏଁ ନାଲ୍‌କୋ ନଗରରେ ବସୁଛି ପଲ୍ଲିଶ୍ରୀ ମେଳା, ପଡ଼ିବ ୨୨୦ ଟି ଷ୍ଟଲ

ଅନୁଗୁଳ: ଚଳିତ ମାସ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନାଲ୍‌କୋନଗର ଠାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା। ଆଜି ଏ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ପରି ଆଲୁମିନିୟମ ନଗରୀ ନାଲ୍‌କୋ ଠାରେ ବିଶ୍ବକର୍ମା ପୂଜା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଓରମାସର ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବ। ଏଥିରେ ମୋଟ ୨୨୦ ଗୋଟି ଷ୍ଟଲ ଓ ୧୨ ଗୋଟି ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଓଡିଶାର ୩୦ ଗୋଟି ଜିଲ୍ଲା ସମେତ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ରାଜସ୍ଥାନ, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ହରିୟାଣା, ତେଲେଙ୍ଗାନା, ଆସାମ, ଛତିଶଗଡ ଇତ୍ୟାଦି ରାଜ୍ୟର କାରିଗର ଓ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେବେ।

ସେହିପରି ହସ୍ତତନ୍ତ ଓ କୁଟୀର ଶିଳ୍ପ ବିଭାଗ, ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ, ଜିଲ୍ଲା ଶିଶୁ ବିଭାଗ, ମିଶନ ଶକ୍ତି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ମହିଳା ସଶକ୍ତିକରଣ (ନୂଆଦିଲ୍ଲୀ), ଆଦିବାସୀ ମନ୍ତ୍ରାଳୟ, ଓଡିଶା ରାଜ୍ୟ ତାଳଗୁଡ ସମବାୟ ସମିତି, ଜଙ୍ଗଲ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ଭାରତୀୟ ବ୍ୟବସାୟିକ ଅନୁଷ୍ଠାନ ଇତ୍ୟାଦି ଏହି ମେଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ମେଳାରେ ସ୍ବତନ୍ତ୍ର ଖାଦ୍ୟ ଷ୍ଟଲ, ସେଲଫି ପଏଣ୍ଟ, ଆମ ଅସ୍ମିତା ଆମ ଗୌରବର ପ୍ରଦର୍ଶନୀ ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଭିନ୍ନକ୍ଷମ ଓ ବୟସ୍କଙ୍କୁ ମେଳା ପରିଦର୍ଶନ କରିବା ନିମନ୍ତେ ସ୍ବତନ୍ତ୍ର ହ୍ୱିଲ ଚେୟାର ବ୍ୟବସ୍ଥା ମଧ୍ୟ ରହିଛି ।

ଅନ୍ୟମାନଙ୍କ ମଧ୍ୟରେ ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଲମ୍ବୋଦର ବାସ୍କେଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Share

Leave a Reply