ତାଳଚେର: ୫ ଦଫା ଦାବି ନେଇ ତାଳଚେର ସାର କାରଖାନା ଆଞ୍ଚଳିକ ପ୍ରଜା ମହାସଂଘ ପକ୍ଷରୁ ଟିଏଫ୍ଏଲ ମହାପ୍ରବନ୍ଧକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏଫ୍.ସି.ଆଇ. ଫୁଟ୍ବଲ୍ ପଡିଆ ଠାରୁ ଏକ ଶୋଭାଯାତ୍ରାରେ ଆସି ଟିଏଫ୍ଏଲ୍ ମହାପ୍ରବନ୍ଧକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ତାଳଚେର ସାରକାରଖାନା କାମ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ଯାଏଁ କ୍ଷତିଗ୍ରସ୍ତ ଲୋକଙ୍କୁ ନିଯୁକ୍ତି ଦିଆଯାଇନାହିଁ। ସ୍ଥାନୀୟ ଲୋକଙ୍କ ବଦଳରେ ତାଳଚେର ବାହାରୁ ଲୋକ ଆସି ଏଠାରେ ନିଯୁକ୍ତି ଏବଂ ଠିକାରେ କାମ କରୁଛନ୍ତି।
ଏଣୁ ସାର କାରଖାନାରେ ସରକାରଙ୍କର ନିୟମ ମୁତାବକ ୯୦ ଭାଗ ସ୍ଥାନୀୟ ବେକାର ଲୋକଙ୍କୁ ନିଯୁକ୍ତି, ଠିକା ଶ୍ରମିକଙ୍କ କାର୍ଯ୍ୟ କରିବାର ସମୟକୁ ୮ ଘଣ୍ଟା କରିବା, ସମସ୍ତ ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ, ଇପିଏଫ୍, ଇଏସଆଇ କାର୍ଡ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ, ସ୍ଥାନୀୟ ବେକାର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଓ କାରଖାନାକୁ ଯିବା ଆସିବା କରୁଥିବା ଭାରିଯାନଗୁଡିକ ବସ୍ତି ଅଞ୍ଚଳରେ ନିୟନ୍ତ୍ରୀତ ବେଗରେ ରାତି ୧୦ ଘଟିକା ଠାରୁ ସକାଳ ୬ ଟା ପର୍ଯ୍ୟନ୍ତ ଯିବା ଆସିବା କରିବାକୁ ସେମାନେ ଦାବି କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆସନ୍ତା ୧୯ ତାରିଖରେ ସଂଘ ଧାରଣା ଦେବ ବୋଲି ସଭାପତି ଚେତାବନୀ ଦେଇଛନ୍ତି। ବୁଧବାର ଦାବି ପତ୍ର ପ୍ରଦାନ ବେଳେ ସାଧାରଣ ସଂପାଦକ ଲକ୍ଷ୍ମୀପ୍ରିୟା ମଲ୍ଲିକ୍, ମଲ୍ଲିକା ବେହେରା, ରୀନା ବେହେରା, ଜ୍ୟୋତି ନାଏକ, ନିଲମ ଲାଲ୍, ନିରଂଜନ ସାହୁ, ତୁଷାର କୁମାର ସାହୁ, ଦିଲ୍ଲୀପ ମାଝୀ, ସ୍ୱାଗତ ପୃଷ୍ଟି, ଚନ୍ଦନ ନାଏକ, ସନନ୍ତ ସାହୁ, ପ୍ରଭାତ ନାଏକ, ବିନୋଦ ଲାଲ୍, ଆଶିଷ ନାଏକ, ମହେଶ୍ୱର ବାରିକ୍, ବିମାନ ପଲେଇ, ପ୍ରଦ୍ୟୁମ୍ନ ନାଏକ, ସିପୁନ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।