ତାଳଚେର: ତାଳଚେର ବ୍ଲକ ହାଣ୍ଡିଧୂଆରୁ ଘଣ୍ଟାପଡ଼ା ପଞ୍ଚାୟତର ପ୍ରବେଶ ମାର୍ଗରେ ନିର୍ମାଣାଧୀନ ଓଭରବ୍ରିଜ୍ କାର୍ଯ୍ୟ ବିଳମ୍ବ ଏବଂ ଲେବଲ କ୍ରସିଂ ଫାଟକ ବାରମ୍ବାର ବନ୍ଦ ରହୁଥିବାରୁ ଜନସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୁଧବାର ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସଂଘ ସଭାପତି ଭୂପେନ୍ ଥମ୍ବର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୯ ବର୍ଷ ହେଲାଣି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ଯାଏଁ ଶେଷ ହୋଇପାରିନାହିଁ।
ସେହିପରି ଏହି ରାସ୍ତାରେ ରେଳ ଫାଟକ ଥିବାରୁ ନିୟମିତ କୋଇଲା ଖଣିରୁ ଶତାଧିକ କୋଇଲା ବୋଝେଇ ରେଳ ଗାଡି ଯାତାୟାତ କରୁଛନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ଫାଟକ ପଡ଼ି ରହୁଛି। ଏହା ଦ୍ୱାରା ଆମ୍ବୁଲାନ୍ସ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିଙ୍କୁ ଯିବା ଆସିବାରେ ଘୋର ଅସୁବିଧା ହେଉଛି।
ଏଥିସହ ମଣ୍ଡାପାଳ ସ୍ଥିତ ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଆବଶ୍ୟକତା ଅନୁଯାୟୀ ଡାକ୍ତର ନିଯୁକ୍ତି, ବାଙ୍କଧରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥରୁ ଧୂଳି ସଫା କରିବା, ସୌନ୍ଦର୍ଯ୍ୟକରଣ କରିଡର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ରାସ୍ତାରେ ଆଲୋକିକରଣ, ପ୍ରଜାମଣ୍ଡଳ ଭବନକୁ ନୂଆ ରୂପ ଦେବା ଆଦି ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ସାଧାରଣ ସଂପାଦକ ଦ୍ରୁମଦ ପ୍ରଧାନ, ସରୋଜ ଧର, ମନୋଜ ଶତପଥୀ, ସନାତନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।











