ଅନୁଗୁଳ: ଆସନ୍ତା ୧୭ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହୋତ୍ସବ ୪ ଦିନ ଧରି ଚାଲିବାକୁ ଥିବାବେଳେ ପଲ୍ଲୀଶ୍ରୀମେଳା ୬ ଦିନ ବ୍ୟାପି ଜାରି ରହିବ। ଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରା, ଲୋକକଳା, ହସ୍ତଶିଳ୍ପ ସହିତ ସ୍ବଦେଶୀ ପଦାର୍ଥର ପ୍ରଦର୍ଶନୀ ପାଇଁ ସ୍ବଦେଶୀ ମେଳାର ଆୟୋଜନ କରାଯିବ। ମହୋତ୍ସବର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିବେ। ସନ୍ଧ୍ୟାରେ ବଲିଉଡର ପ୍ରସିଦ୍ଧ କଣ୍ଠ ଶିଳ୍ପୀ , ଓଡିଆ ସଙ୍ଗୀତ ଜଗତର ନାମୀ କଳାକାର ଏବଂ ହାସ୍ୟ ଅଭିନେତାଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜିଲ୍ଲାର ଲୁକାୟିତ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ କଳାକାର ଓ କଳା ପ୍ରତିଷ୍ଠାନମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯିବ।
ସେହିପରି ଜିଲ୍ଲା ମହୋତ୍ସବରେ ଜନସାଧାରଣଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେବା ନିମନ୍ତେ ଅଧିକରୁ ଅଧିକ ସ୍ଥାନ ସାଧାରଣ ଲୋକଙ୍କ ପାଇଁ ରଖାଯିବ ଏବଂ କୌଣସି ପାସ୍ ବ୍ୟବସ୍ଥା ରହିବ ନାହିଁ। ଆସନ୍ତା ୧୭ ତାରିଖରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ପ୍ରାତଃ ସମୟରେ ଯୋଗ ପ୍ରାଣାୟମ,ଶିବିର କାର୍ଯ୍ୟକ୍ରମ ରହିଛି। ସେହିଭଳି ୧୮ ତାରିଖରେ ସ୍ଥାନୀୟ ସଭାଘର ଠାରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯିବ। ୧୯ ତାରିଖରେ ଜିଲ୍ଲାର ବରିଷ୍ଠ ଓ ଯୁବ କବିମାନଙ୍କ ମଧ୍ୟରେ ସାହିତ୍ୟ ଚର୍ଚ୍ଚା ନିମନ୍ତେ କବିତା ପାଠୋତ୍ସବ ଓ ଲେଖକ ସମ୍ମିଳନୀ ଆୟୋଜନ କରାଯିବ। ମହୋତ୍ସବରେ ମୁଖ୍ୟ ଆକର୍ଷଣ ଭାବେ ବଲିଉଡ୍ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ସୁନିଧି ଚୌହାନ ସଙ୍ଗୀତ ପରିବେଷଣ କରିବେ ବୋଲି ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯିବା ସହ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।
ଏଥିନେଇ ବୁଧବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ସାଧରଣ) ପ୍ରତାପ ପ୍ରୀତିମୟ ଓ ଜିଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି।











