ଅନୁଗୁଳ: କଣିହାଁ ଖୋଲା କୋଇଲା ଖଣିର ଟାଇମ ଅଫିସ ସ୍ଥିତ ଖଣିର ମୁଖ୍ୟ ଫାଟକ ଠାରେ କଣିହାଁ ଗ୍ରାମର ଜମିହରା ପ୍ରଜାଙ୍କ ନିଯୁକ୍ତି ଓ ପୁନର୍ବାସ ଦାବିରେ ଗତ ୭୧ ଦିନ ଧରି ଚାଲିଥିବା ଆନ୍ଦୋଳନ ଆଜି ନୂତନ ମୋଡ଼ ନେଇଛି। ଓଡ଼ିଆ ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀଙ୍କ ମହାବ୍ରତ ‘ସୁଦଶା ବ୍ରତ’ ଅବସରରେ ଘରଛାଡ଼ି ଆନ୍ଦୋଳନ ସ୍ଥଳରେ କଣିହାଁ ଗ୍ରାମର ୮୦ ପରିବାରର ମହିଳାମାନେ ବ୍ରତ ପାଳନ କରିଛନ୍ତି। ଏହି ଘଟଣା ଜମିହରା ପ୍ରଜାଙ୍କ ଦୀର୍ଘଦିନର ଅସନ୍ତୋଷକୁ ପୁନର୍ବାର ସାମ୍ନାକୁ ଆଣିଛି। ତେବେ ଆନ୍ଦୋଳନ ସ୍ଥଳରେ ସୁଦଶା ବ୍ରତ ପାଳନକୁ ଜମିହରା ପ୍ରଜାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଜ୍ୱଳନ୍ତ ଉଦାହରଣ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି। ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନର ଅବହେଳାମୂଳକ ଭୂମିକାକୁ ନେଇ ବିଭିନ୍ନ ସମାଜସେବୀ ଓ ସଚେତନ ନାଗରିକମାନେ କଟୁ ସମାଲୋଚନା କରିଛନ୍ତି।
ପ୍ରଜାଙ୍କ ଅଭିଯୋଗ ଅନୁସାରେ, ଏମସିଏଲ କଣିହାଁ କୋଇଲାଖଣି ଓ ସ୍ଥାନୀୟ ପ୍ରଶାସନ ଦ୍ୱାରା ପୁନଃପୁନି ଆଶ୍ୱାସନ ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ଓ ପୁନର୍ବାସ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। କଣିହାଁ ଗ୍ରାମବାସୀଙ୍କ ଜମି ପ୍ରଥମେ ୧୯୯୫ ମସିହାରେ ଏବଂ ପୁନଃ ୨୦୦୬ ମସିହାରେ କୋଲ ବେରିଂ ନିୟମ (ସିବିଏ) ଆଇନ ଅନୁସାରେ ଅଧିଗ୍ରହଣ ହୋଇଥିଲା। ତୃତୀୟଥର ପାଇଁ ୨୦୧୪ ମସିହାରେ ଭାରତ ସରକାରଙ୍କ ନୂତନ ଭୂମି ଅଧିଗ୍ରହଣ ଆଇନ (ଏଲ୍ ଏ ଆର୍ ଆର୍) ଅନୁସାରେ ଜମି ନିଆଯାଇଥିଲା। ଏହି ଆଇନରେ ଜମିହରା ପ୍ରଜାଙ୍କ ପାଇଁ ନ୍ୟାୟସଙ୍ଗତ କ୍ଷତିପୂରଣ, ପରିବାର ପ୍ରତି ନିଯୁକ୍ତି, ପୁନର୍ବାସ ଓ ପୁନସ୍ଥାପନ ସୁବିଧା, ଆବାସ ଓ ମୌଳିକ ସୁବିଧା ସୁନିଶ୍ଚିତ କରିବାର ବ୍ୟବସ୍ଥା ରହିଛି। ତଥାପି ଜମିହରା ପରିବାରମାନଙ୍କ ଅଭିଯୋଗ ଯେ ଏହି ବ୍ୟବସ୍ଥାଗୁଡ଼ିକର ସଠିକ୍ ପ୍ରୟୋଗ ହୋଇନାହିଁ। ଯଦି ଶୀଘ୍ର ନିଯୁକ୍ତି, ଯଥୋଚିତ କ୍ଷତିପୂରଣ ଓ ପୁନର୍ବାସ ବ୍ୟବସ୍ଥା କାର୍ଯ୍ୟକରୀ ହେବାକୁ ନଦିଆଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ଜମିହରା ପ୍ରଜା ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ସାମିଲ ହୋଇଥିବା କୁନି ସାହୁ, ଶୁକାନ୍ତି ସାହୁ, ତାମିନି ସାହୁ, ସରସ୍ୱତୀ ସାହୁ, କୁମୁଦିନୀ ସାହୁ, ମମତା ମାଝି, ରୀନା ନାଏକ, ପ୍ରମିଳା ନାଏକ, ମେଘି ନାଏକ, ସୁମିତ୍ରା ନାଏକ, ମମତା ନାଏକ, ସୁରତୀ ନାଏକ, ସୁଲୋଚନା ନାଏକ, ଶୁଭା ନାଏକ, ସୁନିତା ନାଏକ, ବାସନ୍ତି ନାଏକ, ବିଷ୍ଣୁ ନାଏକ, ଦୋଳଗୋବିନ୍ଦ ସାହୁ, ଦୁଃସାଶନ ସାହୁ, ଅନାଦି ସାହୁ, ଅନିରୁଦ୍ଧ ନାଏକ, ସୂର୍ଯ୍ୟକାନ୍ତ ନାଏକ, ନବକିଶୋର ନାଏକ ଓ ଅଲେଖ ନାଏକ ପ୍ରମୁଖ ସୁଦଶା ବ୍ରତ ପାଳନ କରିଛନ୍ତି।


