ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଅନ୍ୟାନ୍ୟ ଡାକ୍ତରଖାନାରେ ଦେଖାଦେଇଥିବା ବିଭିନ୍ନ ଗୁରୁତର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ (CDMO) ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗତକାଲି ତାଳଚେର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ ଡାକ୍ତରଖାନା ପରିଦର୍ଶନ କରିଥିବା ବେଳେ ସେଠାକାର ଅସନ୍ତୋଷଜନକ ସେବା ଓ ସୁବିଧା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ପୌର ଅଧ୍ୟକ୍ଷ ତଥା ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଓ ସମ୍ପାଦକ ଅନିଲ ଭୂୟାଁଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଛି।
ଦାବିପତ୍ର ଅନୁଯାୟୀ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଡାକ୍ତରଖାନାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ତୁରନ୍ତ ବଡ଼ ଜେନେରେଟର ବ୍ୟବସ୍ଥା କରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବାକୁ ଦାବି ହୋଇଛି। ସେହିପରି ଡାକ୍ତରଖାନାରେ ଅନେକ ଫ୍ୟାନ୍ ଓ ଏସି ଅଚଳ ହୋଇ ପଡ଼ି ରହିଥିବାରୁ ଏହାକୁ ତୁରନ୍ତ ମରାମତି ବା ପରିବର୍ତ୍ତନ କରିବା ପାଇଁ କୁହାଯାଇଛି। ଡାକ୍ତରଖାନା ପରିସରରେ ପାର୍କିଂ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାରୁ ଏଠାରେ ଏକ ମଲ୍ଟି-ଷ୍ଟୋରିଡ୍ ପାର୍କିଂ ସୁବିଧା ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ସୁରକ୍ଷା କର୍ମୀଙ୍କ ରୁକ୍ଷ ବ୍ୟବହାରକୁ ନେଇ ଅଭିଯୋଗ ହୋଇଛି ଏବଂ ସେମାନଙ୍କୁ ଉପଯୁକ୍ତ ବ୍ୟବହାରିକ ପ୍ରଶିକ୍ଷଣ ଦେବା ପାଇଁ ଦାବି କରାଯାଇଛି।
ଆସନ୍ତା ୧୫ ଦିନ ମଧ୍ୟରେ ଏହି ସମସ୍ୟାଗୁଡ଼ିକର ସମାଧାନ ନହେଲେ, ଡାକ୍ତରଖାନାର ସେବା ବାଧାପ୍ରାପ୍ତ ନକରି ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେଡିର ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।











