ଅନୁଗୁଳ: ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ସେଠୀ ଶୁକ୍ରବାର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସମ୍ମିଳନୀ କକ୍ଷରେ ୬ଷ୍ଠ ଜିଲ୍ଲାପରିଷଦର ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ। ଉପାଧ୍ୟକ୍ଷ ପଦପାଇଁ ବିଜେଡି ତରଫରୁ କଣିହାଁ ବ୍ଲକ୍ ୮ ନଂ ଜିଲ୍ଲାପରିଷଦ ଜୋନର ସଭ୍ୟା ରଶ୍ମିତା ସେଠୀଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ନିର୍ଦ୍ଦାରିତ ସମୟ ମଧ୍ୟରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନିର୍ଦ୍ବନ୍ଦରେ ରଶ୍ମିତା ଅନୁଗୁଳ ଜିଲ୍ଲାପରିଷଦର ଉପାଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ନୂଆ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ରଶ୍ମିତା ସେଠୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସୂଚନା ଯେ, ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ରଶ୍ମିତା ସେଠୀଙ୍କୁ ଦଳିୟ ପ୍ରାର୍ଥୀଭାବେ ଚୟନକରି ବନ୍ଦ ଲଫାପାରେ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ ଟିକଟ ପ୍ରଦାନ କରିଥିଲେ। ଶୁକ୍ରବାର ସକାଳେ ପ୍ରଶାନ୍ତି ହୋଟେଲଠାରେ ଜିଲ୍ଲାପରିସଦ ସଭ୍ୟ ସଭ୍ୟାଙ୍କ ମଧ୍ୟରେ ହୁଇପ୍ ଜାରିକରାଯାଇ ବନ୍ଦ ଲଫାପାରୁ ଟିକଟ ବାହାର କରାଯାଇ ରଶ୍ମିତାଙ୍କ ନାମ ଘୋଷଣା କରାଯାଇଥିଲା।
ରଶ୍ମିତା ସେଠୀ ହେଲେ ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା
- Post published:March 25, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
