କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହନୁମାନପୁର ଗ୍ରାମର ବରିଷ୍ଠ ସାମ୍ବାଦିକ ଜିତେନ୍ ମିଶ୍ରଙ୍କର ଗତ ରବିବାର ରାତିରେ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳେ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ରବିବାର ରାତି ପ୍ରାୟ ୯ଟା ସମୟରେ ହନୁମାନପୁରସ୍ଥିତ ନିଜ ବାସଭବନରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କର ମୃତ୍ୟୁ ହୃଦ୍ଘାତ ଯୋଗୁଁ ହୋଇଥିବା ଜଣାପଡ଼ିଛି।ଜିତେନ୍ ମିଶ୍ରଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶୁଭେଚ୍ଛୁ, ସହପାଠୀ, ବନ୍ଧୁବାନ୍ଧବ, ସାଙ୍ଗସାଥୀ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସୋମବାର କଣିହାଁ ପ୍ରେସ୍ କ୍ଲବ୍ ପରିସରରେ କଣିହାଁ ଶାଖା ଉତ୍କଳ ସାମ୍ବାଦିକ ସଂଘର ସଭାପତି କଷ୍ଟୁଚରଣ ସାମଲଙ୍କ ସଭାପତିତ୍ୱରେ ଏକ ଶୋକସଭା ଆୟୋଜିତ ହୋଇଥିଲା।
ଏହି ଅବସରରେ ସ୍ୱର୍ଗତ ମିଶ୍ରଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) ଏବଂ ପ୍ରେସ୍ କ୍ଲବ୍ର ସଦସ୍ୟମାନେ ଏହି ଶୋକସଭାରେ ସାମିଲ ହୋଇଥିଲେ।ଜିତେନ୍ ମିଶ୍ର ଜଣେ ଆମାୟିକ, ମିଷ୍ଠଭାଷୀ ଏବଂ ସେବାମନୋଭାବ ସମ୍ପନ୍ନ ବ୍ୟକ୍ତି ଭାବେ ଅଞ୍ଚଳବାସୀଙ୍କ ମଧ୍ୟରେ ପରିଚିତ ଥିଲେ। ତାଙ୍କର ଉତ୍ତମ ଜନସମ୍ପର୍କ ଏବଂ ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠାପର ଅବଦାନ ସମସ୍ତଙ୍କୁ ମୁଗ୍ଧ କରିଥିଲା। ତାଙ୍କ ଅକାଳ ବିୟୋଗ ସାମ୍ବାଦିକ ସମାଜ ତଥା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିବେଚନା କରାଯାଉଛି।ସ୍ୱର୍ଗତ ମିଶ୍ରଙ୍କ ଶେଷକୃତ୍ୟ ଝରାବେରିଣୀସ୍ଥିତ ଟିକିରା ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର କଣିହାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।