ଅନୁଗୁଳ: ଭାରତ ସରକାର ନିକଟରେ ୬୫୫ ନମ୍ବର ଜାତୀୟ ରାଜପଥକୁ ଅନୁମୋଦନ କରିଛନ୍ତି । ଏହି ଜାତୀୟ ରାଜପଥ ପ୍ରାଥମିକ ପର୍ଯ୍ୟାୟରେ ଖୁଣ୍ଟୁଣିରୁ ବାହାରି ଆଠଗଡ଼, ଭାପୁର ଓ ମହୀଧରପୁର ଛକ ଦେଇ ଅନୁଗୁଳର ଖମାର ବାଇପାସ୍ ଠାରେ ସଂଯୋଗ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହି ୪ ଲେନ୍ ବିଶିଷ୍ଟ ରାସ୍ତାକୁ ଖମାର ପରିବର୍ତ୍ତେ ମହୀଧରପୁରରୁ ବଅଁରପାଳ ବାଇପାସ୍ରେ ସଂଯୋଗ କରିବାକୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଏନ୍ଏଚ୍.ଆଇକୁ ପ୍ରସ୍ତାବ ଦେଇଥିଲେ। ୬୫୫ ନମ୍ବର ଜାତୀୟ ରାଜପଥ ବଅଁରପାଳ ବାଇପାସ୍କୁ ସଂଯୋଗ କରିବା ଦ୍ଵାରା ଏହା ଏକ ଅର୍ଥନୈତିକ କରିଡର ହୋଇପାରିବ। ଏହାଦ୍ଵାରା ରାଉରକେଲାର ସମସ୍ତ ଜିନିଷପତ୍ର, ତାଳଚେର କୋଇଲା ଟ୍ରକ୍, ନାଲ୍କୋର ଟ୍ରକ୍ ଆତଯାତରେ ସୁବିଧା ହେବ ବୋଲି ପ୍ରସ୍ତାବ ଦେଇଥିଲେ ଉପବାଚସ୍ପତି । ଏହି ପ୍ରସ୍ତାବକୁ ଏନ୍ଏଚ୍ଆଇ ମୋହର ମାରିବା ସହ ବଅଁରପାଳ ବାଇପାସ୍ ସହିତ ଏନ୍ଏଚ୍-୬୫୫ର ସଂଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଶନିବାର ସର୍କିଟ୍ ହାଉସ୍ରେ ଉପବାଚସ୍ପତି ଶ୍ରୀ ସିଂହ ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି । ମହୀଧରପୁର, ତଳମୂଳ ଓ ବଉଳିଗଡ଼ ବାଇପାସ୍ ହୋଇ ଜାତୀୟ ରାଜପଥ ବଅଁରପାଳ ବାଇପାସ୍ କୁ ଛୁଇଁବ ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟର ସମସ୍ତ ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବାକୁ ଉପ ବାଚସ୍ପତି ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଦିଲ୍ଲୀରୁ ଆସିଥିବା ଏହି ପ୍ରକଳ୍ପର ଜେନେରାଲ ମ୍ୟାନେଜର ଉମାକାନ୍ତ ପାଣି, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ନାୟକ ଓ ସହକାରୀ ଯନ୍ତ୍ରୀ ବିନୟ କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କାମ ଅତିଶୀଘ୍ର ପିଡବ୍ଲ୍ୟୁଡିକୁ ହସ୍ତାନ୍ତର କରାଯିବ। ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ଦୁଇ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ ବୋଲି ଉପବାଚସ୍ପତି ଶ୍ରୀ ସିଂହ ସୂଚନା ଦେଇଛନ୍ତି।
ଏନ୍ଏଚ୍ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି
- Post published:July 4, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
