ସଡକ ସୁରକ୍ଷା କମିଟି ବୈଠକ

0

ଅନୁଗୁଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅଦ୍ଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜୁନ୍ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥ‌ିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା। ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଜୁନ୍ ମାସରେ ଜିଲ୍ଲାରେ ମୋଟ୍ ୧୬ଟି ଦୁର୍ଘଟଣା ଘଟିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି, ୬ ଜଣ ଗୁରୁତର ଆହତ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।ଏହି ଦୁର୍ଘଟଣା ମଧ୍ୟରୁ ଗତ ମାସରେ ୭ଟି ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥ‌ିବା ବେଳେ ୯ଟି ଦୁର୍ଘଟଣା ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ଅଞ୍ଚଳରେ ଘଟିଛି ।

ଗତ ମାସରେ ୪୦୨ ଜଣ ବିନା ହେଲମେଟ୍, ୨୯ ଜଣ ବିନା ସିଟବେଲ୍ଟ ଓ ୮୫୩ ଜଣଙ୍କ ଠାରୁ ଦ୍ରୁତ ଗାଡି ଚାଳନା ପାଇଁ ଜୋରିମନା ଆଦାୟ କରାଯାଇଥିବା ବେଳେ ୪୬୫ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଥିଲା। ସେହିଭଳି ୨୫ ଜଣ ମଦ୍ୟପାନ କରି ଗାଡିଚାଳନା ଓ ୨୧ଟି ଗାଡି ଜବତ କରାଯାଇଥିଲା। ପୋଲିସ ଓ ପରିବହନ ବିଭାଗର ଅଧିକାରୀ ମିଳିତ ଚଢାଉ କରି ଯାନବାହାନ, ହେଲମେଟ୍, ସିଟ୍ ବେଲ୍ଟ ଇତ୍ୟାଦିର କଡାକାଡି ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସେହିପରି ବୈଠକରେ ପୂର୍ଣ ବିଭାଗର ରାସ୍ତା (ଜରାସିଂହା), ଜାତୀୟ ରାଜପଥ ୪୯ (ପାଲଲହଡା ବାଇପାସ୍ ଜଙ୍କସନ୍ ), ଜାତୀୟ ରାଜପଥ ୫୫ (ପଞ୍ଚମହଲା ଓ ସାଆଁନ୍ତରାପୁର) ଜାତୀୟ ରାଜପଥ ୧୪୯ (ଚାଇଁପାଳ ଓଭରବ୍ରିଜ୍, ବଲ୍ଲହର ଛକଠାରୁ ବଅଁରପାଳ) ଗୁଡିକର ଖୁବ୍ ଶୀଘ୍ର ମରାମତି କରିବା ନେଇ ଗୁରୁତ୍ବ ଆରୋପ କରାଯାଇଥିଲା।

ଏହି ବୈଠକରେ ଆଇଏଏସ୍ ପ୍ରୋବେସନରୀ ତେଜସ୍ବିନୀ ବେହେରା, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ଊପ ଆରକ୍ଷୀ ଅଧିକ୍ଷକ ଲଳିତା ଲାକ୍ରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ ଓ ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସମେତ ଜାତୀୟ ରାଜପଥ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!