ଅନୁଗୁଳ: ସରକାର ପାଳନ କରୁଛନ୍ତି ବିକଶିତ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି। ବହୁ ଆଡ଼ମ୍ବରେ ଅନୁଷ୍ଠିତ ହଉଛି ବିକାଶ ମେଳା। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା। ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି କାଙ୍ଗୁଲା ବେନ୍ତପୁର ପଞ୍ଚାୟତ। ସହର ତଳି ଗାଁ ହୋଇଥିବା ବେଳେ ଗାଁ କୁ ଲାଗି ରହିଛି ନବରତ୍ନ କମ୍ପାନୀ ନାଲକୋ। ନାଲକୋର ପାରିପାର୍ଶ୍ଵକ ଉନ୍ନୟନ ପାଣ୍ଠି ଏହି ଗାଁରେ ଖର୍ଚ୍ଚ ହେବାର ନିୟମ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଖଣ୍ଡିଏ ନପାଇ ବେନ୍ତପୁର ଗାଁର ଭେରୁଗୋଠା ସାହିର ଲୋକେ ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉଛନ୍ତି।
ପ୍ରାୟ ୧୦୦ରୁ ଅଧିକ ପରିବାର ଏହି ସାହିରେ ବସବାସ କରୁଥିବା ବେଳେ ଗାଁ ପଞ୍ଚାୟତ ସମ୍ମୁଖ ଦେଇ ପଡିଥିବା ରାସ୍ତା ଏମାନଙ୍କ ଯୋଗାଯୋଗର ମୁଖ୍ୟ ମାଧ୍ୟମ ପାଲଟିଥାଏ। ଗତ କିଛିଦିନ ହେବ ଏକ ଛୋଟ ପୋଲ ନିର୍ମାଣ ଚାଲିଥିବା ବେଳେ ବିଲ ଭିତର ଦେଇ ଏହାର ବାଇପାସ ରାସ୍ତା ନିର୍ମାଣ କରାଯାଇଛି। ଗଭୀର କାଦୁଅ ବିଲ ହୋଇଥିବା ଯୋଗୁଁ ଲୋକେ ଗାଡି ମଟର ଦୂର କଥା ପାଦରେ ଚାଲି ଯିବାକୁ ମଧ୍ୟ ସଙ୍କୋଚ କରୁଛନ୍ତି।bଗଭୀର ଚାଷ ଜମି ମଧ୍ୟରେ ବାଇପାସ ରାସ୍ତା କରାଯାଇଥିବା ବେଳେ ଏଥିରେ ମୁଠାଏ ହେଲେ ମାଟି ପଡ଼ିନାହିଁ। କେବଳ ଚାଷ ଜମି ଉପରେ ଦୁଇ ପାଖରୁ ଗଡାଣିଆ କରି ଦେଇ ଠିକାଦାର ନିଜ ମୁଣ୍ଡରୁ ଦୋଷ ହଟାଇ ଦେଇଛନ୍ତି। ଏହି ରାସ୍ତା ବନ୍ଦ ହୋଇ ପଡ଼ିଥିବା ବେଳେ ପ୍ରାୟ ଅଢେ଼ଇ କିଲୋମିଟର ବୁଲି ଭେରୁଗୋଠା ସାହିକୁ ଯିବାକୁ ରାସ୍ତା ରହିଛି। କେନାଲ ହୁଡାରେ ଲୋକେ ଖରାଦିନରେ ଯାତାୟାତ କରୁଥିବା ବେଳେ ସାମାନ୍ୟ ବର୍ଷାରେ ଏହି ରାସ୍ତାରେ ମଧ୍ୟ ଆଣ୍ଠୁ ଯାଏ ଗର୍ତ ସୃଷ୍ଟି ହୋଇଗଲାଣି। କେନାଲ ମୁଣ୍ଡରୁ ଗାଁ ଛୁଇଁବା ପାଇଁ ଶହେ ମିଟର ରାସ୍ତା ପଡିଛି ତାହା ଯମ ଯନ୍ତ୍ରଣା ଠାରୁ ଅଧିକ କଷ୍ଟ ଦାୟକ ପାଲଟିଛି।
ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ନିଜ ପେଟ ପାଟଣା ପୋଷିବାକୁ କାଦୁଅରେ ଯାଉଥିବା ବେଳେ ଅନ୍ୟ କୌଣସି ରାସ୍ତା ନାହିଁ। ଗୋଟିଏ ପାଖରେ ପୋଲ ନିର୍ମାଣ ପାଇଁ ଠିକାଦାର ରାସ୍ତା ବନ୍ଦ କରିଥିବା ବେଳେ ଯେଉଁ ବାଇବାସ ରାସ୍ତା କରାଯାଇଛି ତାହା ୫ ଫୁଟ ଗଭୀର ବିଲ ମଧ୍ୟରେ କରିବା କାରଣରୁ ଲୋକେ ଯାତାୟାତ କରି ପାରୁନାହଁନ୍ତି। ଏଠାରେ ବିଦ୍ୟାଳୟ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳୟ, ପଞ୍ଚାୟତ କାର୍ଯ୍ୟଳୟ, ସମବାୟ ସମିତି, ଜନ ସେବା କେନ୍ଦ୍ର ଆଦି ଅନେକ ଅତ୍ୟାବଶ୍ୟକୀୟ ଅଫିସ୍ ଗୁଡିକ ରହିଛି। ରାସ୍ତାର ଶୋଚନୀୟ ଅବସ୍ଥା କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ନିର୍ମଣାଧୀନ ପୋଲ ନେଇ ବର୍ଷେରୁ ଅଧିକ ଦିନ ତଳେ ଖବର ପ୍ରକାଶିତ ହୋଇଥିବା ବେଳେ ପ୍ରଶାସନର ବର୍ଷା ଆସିବା ବେଳେ ହିଁ ନିଦ ଭାଙ୍ଗିଥିବା ଲୋକେ ପ୍ରକାଶ କରିଛନ୍ତି। ଯଥା ଶୀଘ୍ର ରାସ୍ତା ମରାମତି କରିବା ପାଇଁ ଗାଁର ପୂର୍ଣଚନ୍ଦ୍ର ରଥ, ନରେନ ରଥ,ଗଦାଧର ମହାପାତ୍ର, ସଞ୍ଜୟ ରଥ, ଚନ୍ଦନ କୁମାର ତ୍ରିପାଠୀ ପ୍ରମୁଖ ଦାବି କରିଛନ୍ତି।