ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନରେ ସାମିଲ ହୋଇଛି। ଏଥିପାଇଁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁଗୁଳ ଠାରେ ଏକ ସମାରୋହରେ ଜେଏସପିକୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।
ଏହି ସମାରୋହରେ ଟିବି ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼ା. ଆର୍. ପି. ଯୋଶୀ ଜେଏସପି ଫାଉଣ୍ଡେସନର ଯକ୍ଷ୍ମା ଦୂରୀକରଣରେ ସହଯୋଗ ଓ ସକ୍ରିୟ ଭୂମିକାକୁ ବେଶ୍ ପ୍ରଶଂସା କରିଥିଲେ। ନିକ୍ଷୟ ମିତ୍ର ଭାବରେ ଜେଏସପି ଫାଉଣ୍ଡେସନ ଅନୁଗୁଳ ଜିଲ୍ଲାର ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ଯୋଗାଇବ। ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଦେଶର ପାଞ୍ଚ ହଜାରରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ପ୍ୟାକେଟ ଦିଆଯାଉଥିବା ଜଣାଯାଇଛି।
ଏ ନେଇ କମ୍ପାନୀର ସିଏସଆର୍ ଗ୍ରୁପ୍ ମୁଖ୍ୟ ପ୍ରଶାନ୍ତ ହୋତା କହିଥିଲେ, ଫାଉଣ୍ଡେସନକୁ ଏଭଳି ମାନ୍ୟତା ମିଳିବା ଏବଂ ପିପିପି ମୋଡରେ ଯକ୍ଷ୍ମା ଭଳି ଗୁରୁତର ବ୍ୟାଧିକୁ ନିୟନ୍ତ୍ରଣ କରିବାର ଯେଉଁ ଆହ୍ୱାନ ଫାଉଣ୍ଡେସନ ନେଇଛି ତାହା ନିଶ୍ଚିତ ରୂପେ ଅନନ୍ୟ। ଜେଏସପି ଫାଉଣ୍ଡେସନ ଯକ୍ଷ୍ମା ରୋଗକୁ ମୂଳପୋଛ କରିବାରେ ସହଯୋଗ ଜାରିରଖିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଶିବାନନ୍ଦ ମହାନ୍ତି, ସହକାରୀ ଜନ ସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡ଼ା. ବିଶ୍ବବିହାରୀ ମହାନ୍ତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ଡ଼ା. କେ. କେ. ତ୍ରିପାଠୀ, ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଏନ୍ ଟି ଇ ପିର ଜାତୀୟ ପରାମର୍ଶଦାତା ସୋଫିଆ ଖୁମଖୁଚାମ୍, ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନର ଜାତୀୟ ପରାମର୍ଶଦାତା ଧର୍ମା ରାଓ ପ୍ରମୁଖ ଉପସ୍ଥିତ ଥିଲେ।