ମହେନ୍ଦ୍ର ସାହୁଙ୍କ ବହିଷ୍କାରରୁ ବିଜେଡିରେ ବିଦ୍ରୋହର ସ୍ୱର! ଆଠମଲ୍ଲିକରେ ଦଳକୁ ଝଟକା, ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ୬ କାଉନସିଲରଙ୍କ ଇସ୍ତଫା

You are currently viewing ମହେନ୍ଦ୍ର ସାହୁଙ୍କ ବହିଷ୍କାରରୁ ବିଜେଡିରେ ବିଦ୍ରୋହର ସ୍ୱର! ଆଠମଲ୍ଲିକରେ ଦଳକୁ ଝଟକା, ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ୬ କାଉନସିଲରଙ୍କ ଇସ୍ତଫା

ଅନୁଗୋଳ: ମହେନ୍ଦ୍ର ସାହୁଙ୍କୁ ଦଳରୁ ବହିଷ୍କାର ପରେ ଆଠମଲ୍ଲିକ ବିଜେଡିରେ ରାଜନୈତିକ ହଲଚଲ। ଦଳୀୟ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଏବେ ଖୋଲା ବିଦ୍ରୋହର ରୂପ ନେଇଛି। ଆଠମଲ୍ଲିକ ଏନ୍‌ଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ୬ ଜଣ କାଉନସିଲରଙ୍କ ସମେତ ଶତାଧିକ କର୍ମୀ ଦଳରୁ ସମୂହ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହି ଘଟଣା ଆଠମଲ୍ଲିକରେ ବିଜେଡିର ସାଂଗଠନିକ ସ୍ଥିତିକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଚଳିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ସମୟରେ ଦଳୀୟ ବିଶୃଙ୍ଖଳାରେ ସମ୍ପୃକ୍ତି ଅଭିଯୋଗରେ ବିଜେଡି ପକ୍ଷରୁ ଗତ ସୋମବାର ମହେନ୍ଦ୍ର ସାହୁଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହି ନିଷ୍ପତ୍ତି ପ୍ରଚାର ହେବା ପରେ ଏନ୍‌ଏସି ଅଞ୍ଚଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା। ବିଧାୟକ ନଳିନୀ ପ୍ରଧାନଙ୍କ ଆକ୍ରୋଶମୂଳକ ଆଭିମୁଖ୍ୟ ଯୋଗୁଁ ମହେନ୍ଦ୍ରଙ୍କୁ ବହିଷ୍କାର କରାଯାଇଥିବା ଅସନ୍ତୁଷ୍ଟ କର୍ମୀମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣାର ପ୍ରତିବାଦରେ ଏନ୍‌ଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସହ କାଉନସିଲର ସିଲି ମୁଣ୍ଡା, ଇବ୍ରାହିମ ଖାନ୍‌, ପ୍ରୀତି ନାଏକ, ଇନ୍ଦ୍ରାଣୀ ସାହୁ, ମଞ୍ଜରୀ ଦନ୍ତା ଓ ଅନ୍ୟ ଜଣେ କାଉନସିଲରଙ୍କ ସମେତ ବହୁ ଦଳୀୟ କର୍ମୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏଥିସହ ପୂର୍ବତନ ନଗରପାଳ ସୁଦାମ ସାହୁ, ପୂର୍ବତନ ଏନ୍‌ଏସି ବିଜେଡି ସଭାପତି କବୀନ୍ଦ୍ର ଦାସ, ପ୍ରଦୀପ କୁମାର ଦାଶ, ନଗର କର୍ମକର୍ତ୍ତା ବାବୁ ଦାଶ, ଅବନୀ ଆଚାର୍ଯ୍ୟ, ନଳିନୀ ରଞ୍ଜନ ପାତ୍ର, ଅବିନାଶ ଷଡ଼ଙ୍ଗୀ ଓ ଅସିତ ରଞ୍ଜନ ପାଢ଼ୀଙ୍କ ସମେତ ଅନ୍ୟମାନେ ମଧ୍ୟ ଦଳ ଛାଡ଼ିଥିବା କୁହାଯାଉଛି।

ଏହି ସମୂହ ଇସ୍ତଫାର ପ୍ରଭାବ ଏବେ ଏନ୍‌ଏସିରୁ ବ୍ଲକ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିବା ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲକ ଅଞ୍ଚଳର କିଛି ନେତା ଓ କର୍ମୀ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଯଦି ଅସନ୍ତୋଷ ଏଭଳି ଜାରି ରହେ, ତେବେ ଆଠମଲ୍ଲିକରେ ବିଜେଡିର ସାଂଗଠନିକ ଶକ୍ତି ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।
ମହେନ୍ଦ୍ର ସାହୁଙ୍କ ବହିଷ୍କାରକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଏହି ଅସନ୍ତୋଷ ଆଗକୁ କେଉଁ ରାଜନୈତିକ ମୋଡ଼ ନେବ, ତାହାକୁ ନେଇ ଏବେ ଆଠମଲ୍ଲିକ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Share

Leave a Reply