୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

You are currently viewing ୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଅନୁଗୁଳ: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ସ୍ଥିତ ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୧୩୫ ଗ୍ରମ୍ ବ୍ରାଉନ୍‌ସୁଗାର ପୁଲିସ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। କୋଲିୟରୀ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସାଉଥବଲଣ୍ଡା ସ୍ଥିତ ରେସକ୍ୟୁ କଲୋନୀ ଅଞ୍ଚଳର ମନୋଜ ସାହୁ(୨୫) ଏକ ବାଇକ୍‌ରେ (ଓଡି୧୯ଆର ୮୧୬୦) ୯୭ ଗ୍ରାମ ବ୍ରାଉନସୁଗାର ଧରି ବଲଣ୍ଡା ଅଞ୍ଚଳକୁ ଯାଉଥିବା ବେଳେ ତାକୁ ଡ଼େରା ଛକରେ ଧରିଥିଲା । ଏହି ଧଳା ଜହର କେଉଁଠୁ ଆଣୁଛି ବୋଲି ପଚରାଉଚରା କରିବା ପରେ ସେ ବାଘୁଆବୋଲ ଅଞ୍ଚଳରେ ରହୁଥିବା କାଳିଆ ବର୍ମା(୬୦) ଓ ତାଙ୍କ ପୁତ୍ର ଲିପୁ ବର୍ମା (୩୦)ଙ୍କଠାରୁ ଏହା ଆଣିଥିବା ପୁଲିସକୁ କହିଥିଲା। କୋଲିୟରୀ ପୁଲିସ ତୁରନ୍ତ ବାଘୁଆବୋଲ ଅଞ୍ଚଳର କାଳିଆ ବର୍ମା ଓ ଲିପୁ ବର୍ମାକୁ ଧରିବା ସହ ତାଙ୍କ ଗାଈ ଗୁହାଳରେ ଥିବା ଏକ ବ୍ୟାଗରୁ ୧୨୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା । ପୁଲିସର ଏହି ଚଢ଼ଉ ବେଳେ ତାଳଚେରର ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ନାୟକ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ଥିଲେ। ଜବତ ହୋଇଥିବା ଏହି ବ୍ରାଉନ୍‌ସୁଗାରର ପରିମାଣ ଅନୁଗୋଳ ଜିଲାରେ ସର୍ବାଧିକ ବୋଲି କୋଲିୟରୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ତିନିଜଣ ଗିରଫ ବ୍ୟକ୍ତିଙ୍କ ନାମରେ କୋଲିୟରୀ ପୁଲିସ ପକ୍ଷରୁ ଏନ୍‌ଡିପିଏସ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି।

Share

Leave a Reply