ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁର ଜଣେ ୬୦ ବର୍ଷର ବୃଦ୍ଧଙ୍କ ମଦ ଗିଲାସକୁ ପକାଇ ଦେବାରୁ ୯ ବର୍ଷର ନାବାଳକଙ୍କୁ ପଥରରେ ଆକ୍ରମଣ କରିବା ଅଭିଯୋଗରେ ବୃଦ୍ଧ ଗିରଫ ହୋଇଛନ୍ତି।
ସୂଚନା ମୁତାବକ, ଗତ ୨୬ ତାରିଖରେ ଖମାର ଗାଁର ଦୁର୍ଯ୍ୟୋ ମାହାର(୬୦)ଙ୍କ ଘରକୁ ତାଙ୍କ ବୋହୁଙ୍କ ପୁତୁରା ଦୁତିଆ ମାହାର(୯) ବୁଲି ଆସିଥିଲା। ଏହି ସମୟରେ ଘର ଅଗଣାରେ ବସି ଦୁର୍ଯ୍ୟୋ ମଦ ପିଉଥିଲେ। ନାବାଳକ ଦୁତିଆ ଖେଳୁଥିବା ସମୟରେ ଦୁର୍ଯ୍ୟୋଙ୍କ ମଦ ଗିଲାସକୁ ପକାଇ ଦେଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ଯ୍ୟୋ ଏକ ପଥରରେ ଦୁତିଆଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ଦୁତିଆ ଗୁରୁତର ଆହତ ହୋଇ ଛେଣ୍ଡିପଦା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଏ ନେଇ ଦୁତିଆଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦୁର୍ଯ୍ୟୋ ଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି।