ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ‘ଜୀବଦୟା’ କାର୍ଯ୍ୟକ୍ରମ ଅଧୀନରେ ଆଜି ଏକ ବ୍ୟାପକ କମ୍ବିଂ ଅପରେସନ ଅନୁଷ୍ଠିତ ହୋଇଛି। ଅନୁଗୁଳ ବନଖଣ୍ଡ ଅଧିକାରୀ ନିତୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଆଇ.ଏଫ.ଏସ (ପ୍ରଶିକ୍ଷଣାର୍ଥୀ) ସିଦ୍ଧାର୍ଥ ଜୈନଙ୍କ ସହଯୋଗରେ ଏହି ଅଭିଯାନ ସମସ୍ତ ରେଞ୍ଜରେ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବନଖଣ୍ଡର ସମସ୍ତ ରେଞ୍ଜ ଅଫିସର, ଫରେଷ୍ଟର, ବନରକ୍ଷୀ, ସ୍କ୍ୱାଡ୍ ସଦସ୍ୟ ଏବଂ ‘ଗଜମିତ୍ର’ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହା ସହିତ ସାତକୋଶିଆ ଓ ଢେଙ୍କାନାଳ ବନଖଣ୍ଡର କ୍ଷେତ୍ର କର୍ମଚାରୀମାନେ ମଧ୍ୟ ଏହି ଅପରେସନରେ ସହଯୋଗ କରିଥିଲେ। ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଶିକାର, ଜଙ୍ଗଲ ଜମି ଜବରଦଖଲ ଏବଂ ବେଆଇନ କାଠ କଟା ଭଳି ଅପରାଧକୁ ରୋକିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା। ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଏବଂ କୌଣସି ସମ୍ଭାବ୍ୟ ରୋଗର ପ୍ରାଦୁର୍ଭାବ ଚିହ୍ନଟ କରିବା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅପରେସନ ସମୟରେ ସଂଗୃହୀତ ତଥ୍ୟ ଆଗାମୀ ଦିନରେ ଜୈବ ବିବିଧତାର ସନ୍ତୁଳନ ରକ୍ଷା କରିବା ଏବଂ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବାରେ ସହାୟକ ହେବ।


