ପଥର ତଳେ କିନ୍ନର ଥଇଥାନ ନୀତି

You are currently viewing ପଥର ତଳେ କିନ୍ନର ଥଇଥାନ ନୀତି

ଅନୁଗୁଳ: ଗତ ଡିସେମ୍ବର ୨୨ ତାରିଖରେ ହାଇଦେରାବାଦ ସିଟି ପୋଲିସ ପକ୍ଷରୁ ୩୯ ଜଣ କିନ୍ନରଙ୍କୁ ପୋଲିସ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ମିଳିବା ପରେ ଦେଶର ସବୁଆଡୁ ଏହାକୁ ପ୍ରଶଂସା କରାଯାଉଛି। କିନ୍ନରଙ୍କ ଜୀବନ ଧାରଣର ମାନ ବଢାଇବା ଏବଂ ସମାଜର ମୁଖ୍ୟ ସ୍ରୋତ ରେ ମିଶାଇବା ପାଇଁ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି।

ଓଡିଶା ସରକାର ମଧ୍ୟ ୨୦୧୭ ମସିହାରେ ‘ସ୍ଵୀକୃତି’ ନାମକ ଏକ ଯୋଜନା କରି କିନ୍ନର ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିଲେ। ଏହି ଯୋଜନାରେ ରାଜ୍ୟରେ କିନ୍ନର ଗଣନା, ସେମାନଙ୍କ ପରିବାରର ଆର୍ଥିକ ବିକାଶ ପାଇଁ ବିଭିନ୍ନ ଯୋଜନା, କିନ୍ନର ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ ପ୍ରଦାନ, କିନ୍ନର ମାନଙ୍କ ପାଇଁ ଭୋକେଶନାଲ ଟ୍ରେନିଂ ଆଦିର ବ୍ୟବସ୍ଥା କରାଯିବା କଥା। କିନ୍ତୁ କାଗଜ କଲମରେ ରହିଗଲା ଏହି ଯୋଜନା। ଓଡ଼ିଶାରେ ଆଜି ଯାଏ କିନ୍ନରଙ୍କ ଚି଼ହ୍ନଟ ହୋଇ ପାରିଲା ନାହିଁ। ତେବେ ଅସମର୍ଥିତ ସୂତ୍ର କହେ ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ପ୍ରାୟ ୨୦ ହଜାର କିନ୍ନର ଅଛନ୍ତି। ରାଜ୍ୟରେ କେଉଁଝର, ମୟୁରଭଞ୍ଜ,ବାଲେଶ୍ୱର, ଗଞ୍ଜାମ ପରେ ଅନୁଗୁଳରେ ୫ମ ସର୍ବାଧିକ କିନ୍ନର ଅଛନ୍ତି।

ମେଡିକ୍ସର ମୁଖ୍ୟ ଡା ଦିଲୀପ ସାମଲ କହନ୍ତି ଜିଲ୍ଲାରେ ପ୍ରାୟ ତିନି ହଜାରରୁ ଅଧିକ କିନ୍ନର ଅଛନ୍ତି। ସେମାନଙ୍କ ମଧ୍ୟରୁ ଆମେ ମାତ୍ର ୧୨ ଶହ ଜଣଙ୍କୁ ପଞ୍ଜିକୃତ କରି ସ୍ୱାସ୍ଥ୍ୟ ସେବା ସହିତ,ଏଡ୍ସ ସଚେତନତା ଏବଂ ମଧୁବାବୁ ପେନସନ ଯୋଜନାରେ ସହାୟତା ପାଇଁ ସୁପାରିଶ କରୁଛୁ। କିନ୍ତୁ ଏତିକି ଯଥେଷ୍ଟ ହେଉନାହିଁ। କିନ୍ନର ମାନେ ଟ୍ରେନ, ବସ ଷ୍ଟାଣ୍ଡ, ଛକ ବଜାରରେ ହାତ ପତାଉଥିବା ବେଳେ ସେମାନଙ୍କ ଜୀବନ ଧାରଣର ମାନ ବଢାଇବା ପାଇଁ କୌଣସି ଠୋସ ପଦକ୍ଷେପ ନିଆ ଯାଉନାହିଁ। ହାଇଦେରାବାଦ ପୋଲିସର ପଦକ୍ଷେପ ସମସ୍ତଙ୍କ ପାଇଁ ଉଦାହରଣ ସାଜୁ।

Share

Leave a Reply