ଅନୁଗୁଳ: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ପଣ୍ଡ। ୩ ଜଣଙ୍କୁ ମାଡ଼ିବସିଛି ଅନୁଗୁଳ ପୁଲିସ। ଗିରଫଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ ପୁରୁଷୋତ୍ତମ ଭୂତିଆ ଓରଫ ଟପ୍ପା ଓ ଜଣେ ନାବାଳକ ମଧ୍ୟ ଥିବା ସୂଚନା ମିଳିଛି। ଡକାୟତଙ୍କଠାରୁ ଏକ କାର୍ ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି।
ଏନେଇ ଆଜି ଅନୁଗୁଳ ଏସ୍ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଅନୁଗୁଳ ସହର ଉପକଣ୍ଠ ଶରଧାପୁର ଗାଁ ନିକଟ ଅନୁଗୁଳ-ବନ୍ତଳା ରାସ୍ତାରେ ଗୁରୁବାର ରାତିରେ ପୁଲିସ ପାଟ୍ରୋଲିଂ କରିବା ସମୟରେ କିଛି ସନ୍ଧିଗ୍ଧ ଲୋକ ଏକାଠି ହୋଇଥିବା ଦେଖିଥିଲା। ସେଠାରେ ଚଢ଼ାଉ କରିବା ସମୟରେ କିଛି ଯୁବକ ଡକାୟତି କରିବାକୁ ଯୋଜନା କରୁଥିବା ଜଣାପଡ଼ିଥିଲା। ପୁଲିସକୁ ଦେଖି କିଛି ଫେରାର୍ ହୋଇ ଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଗ୍ୟାଙ୍ଗର ମୁଖ୍ୟ ଡକାୟତ ସଦର ଥାନା କୁଶାସିଂହା ଗାଁର ପୁରୁଷୋତ୍ତମ ଭୂତିଆ ଓରଫ ଟପ୍ପା(୩୨), ତା’ ସହଯୋଗୀ ବନ୍ତଳା ଥାନା ପୁରୁଣାଗଡ଼ର ଅନୀଲ ବେହେରା(୨୭) ଓ ତଳଗଡ଼ ଗାଁର ସୁରେନ୍ଦ୍ର ନାଏକ(୨୩)ଙ୍କୁ ପୁଲିସ ଗିରଫ କରିଛି। ଏହି ମାମଲାରେ ଆଉ ଜଣେ ନାବାଳକଙ୍କୁ ବି ଅଟକ ରଖାଯାଇଛି। ସେମାନଙ୍କ ପାଖରୁ ଗୋଟିଏ ମାରୁତି କାର୍, ଖଣ୍ଡା, ଚାପଡ଼, ତେଲେଙ୍ଗା କଟୁରୀ, ୫ଟି ମୁଖା, ୬ଟି ମୋବାଇଲ ଫୋନ୍ ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି।