ନାଲକୋକୁ ଖଣି କ୍ଷତିଗ୍ରସ୍ତଙ୍କ ଚେତାବନୀ: ଦାବି ମାନିନିଅ

You are currently viewing ନାଲକୋକୁ ଖଣି କ୍ଷତିଗ୍ରସ୍ତଙ୍କ ଚେତାବନୀ: ଦାବି ମାନିନିଅ

ଅନୁଗୁଳ: ନାଲକୋ କର୍ତୃପକ୍ଷଙ୍କୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଡା ଚେତାବନୀ ଦେଇଛନ୍ତି ଖଣି କ୍ଷତିଗ୍ରସ୍ତ ପ୍ରଜାସଂଘ। ସଙ୍ଘର ଆବାହିକା ସସ୍ମିତା ବେହେରାଙ୍କ ପୌରାହିତ୍ୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ତାଳଚେର ଅନୁଗୁଳ ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ଜଗଦାନନ୍ଦ ପ୍ରଧାନ, ଧୋବାମଳିଆ ଖଣି କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ମୁଖ୍ୟ କାଳନ୍ଦୀ ଚରଣ ସାହୁ ଏବଂ ଗୋପୀବଲ୍ଲଭପୁର କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ସମ୍ପାଦକ ବାସୁଦେବ ଗଡ଼ନାୟକ ଏବଂ ସ୍ବେଚ୍ଛାସେବୀ ସାତମ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀମତୀ ବେହେରା ଅଭିଯୋଗ କରିଥିଲେ କି ନାଲକୋ ଉତ୍କଳ ଡି ଓ ଉତ୍କଳ ଇ କୋଲ ବ୍ଲକ ହାତେଇଲା ପରେ ପ୍ରାୟ ଦୁଇ ବର୍ଷ ହେବ ଖଣି ଖୋଳା ଆରମ୍ଭ କଲାଣି। କିନ୍ତୁ ଦୁଃଖର କଥା ନାଲକୋ କର୍ତୃପକ୍ଷ ପୋଲିସ ଲଗେଇ ନିରୀହ ପ୍ରଜାଙ୍କ ନାଁରେ ମକଦ୍ଦମା କରିବା ସହ ଧମକ ଚମକ ଦେଉଛି।

ଜମିହରା ପ୍ରଜାଙ୍କୁ ସମ୍ପୂର୍ଣ ପ୍ୟାକେଜ କ୍ଷତିପୂରଣ, ଥଇଥାନ ଏବଂ ନିଯୁକ୍ତି କଥା ବୁଝୁ ନାହିଁ। ନାଣ୍ଡିଛୋଡ ଗାଁରେ ୨୮୦ ଅନୁସୂଚିତ ଜାତିର ଲୋକ ରହୁଥିବା ବେଳେ ଉତ୍କଳ ଡି ରେ ବ୍ଲାଷ୍ଟିଙ୍ଗ, ଖୋଲା ଟ୍ରକରେ କୋଇଲା ପରିବହନ ଏବଂ ଗାଁ ରାସ୍ତାକୁ ଅବରୋଧ କରିବା ଦ୍ୱାରା ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ନାଲକୋ ଅଧିକାରୀଙ୍କ ଦାଦାଗିରି ବିରୁଦ୍ଧରେ ଗାଁ ଲୋକେ ମାନବିକ ଅଧିକାର କମିଶନ ରେ ଅପିଲ କରିଥିଲେ। କମିଶନ ଗାଁ ଲୋକଙ୍କ କଥା ବୁଝିବା ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ନାଲକୋ ଏହାକୁ ଖାତର କରୁନାହିଁ। ବିସ୍ଥାପିତ ଲୋକଙ୍କ ପାଇଁ କିକି ପଦକ୍ଷେପ ନେଇଚ ବୋଲି କମିଶନ ନାଲକୋକୁ ଏହାର ଜବାବ ମାଗିଥିବା ବେଳେ ନାଲକୋ କର୍ତୃପକ୍ଷ ସେ କଥାକୁ ଭୃକ୍ଷେପବକାରୁ ନାହାନ୍ତି। ଅନ୍ୟ ପକ୍ଷରେ ୨୦୨୪ ରେ ଅଧିଗ୍ରହଣ ଜମିର ଉପଯୁକ୍ତ କ୍ଷତି ପୂରଣ ଦେବାପାଇଁ ହାଇକୋର୍ଟରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଏଥିନେଇ କମ୍ପାନୀ ସହ ଜିଲ୍ଲା ପ୍ରଶାସନର ମଧୁ ଚନ୍ଦ୍ରିକା ଚାଲିଥିବା ବିସ୍ଥାପିତ ଗାଁ ଲୋକେ ଅଭିଯୋଗ କରିଛନ୍ତି।

ସାତମ ପଟନାୟକ ଅଭିଯୋଗ କରିଥିଲେ କି ଜମିହରାଙ୍କ ଚାକିରୀ, ଥଇଥାନ ଓ ପୁନର୍ବାସ ପାଇଁ ସରକାରଙ୍କ ସ୍ପଷ୍ଟ ନିତି ଥିବା ସତ୍ୱେ କମ୍ପାନୀ ସବୁବେଳେ ଟାଳଟୁଳ ନୀତି ଧରି ଆସୁଛି। ସ୍ଥାନୀୟ ଅଂଚଳରେ ପରିବେଶ ପ୍ରଦୂଷଣ ଏଭଳି ଅବସ୍ଥାରେ ଅଛି ଯାହା ଫଳରେ ସେଠାରେ ଅଧିକ ଦିନ ରହିବା ସମ୍ଭବ ନୁହେଁ। ଜଗଦାନନ୍ଦ ପ୍ରଧାନ ପ୍ରକାଶ କରିଥିଲେ କି ନ୍ୟାୟାଳୟର ଆଦେଶକୁ କମ୍ପାନୀ ଜାଣିଶୁଣି ପାଳନ ନକରି ସମୟ ଗଡ଼ାଇଚାଲିଛି। ଏଣେ ଛେଣ୍ଡିପଦା ଅଂଚଳରେ ପରିବେଶ ସମସ୍ୟା ଉତ୍କଟ ଯୋଗୁଁ ଜିଲ୍ଲାରେ ହୃଦରୋଗ, କର୍କଟ, କିଡ଼ନୀ ସମସ୍ୟା, ଅସ୍ଥି ସମସ୍ୟା ଆଦି ବଢ଼ି ଯାଇଛି। ଏହି ସବୁ କାରଣରୁ ବିସ୍ଥାପିତଙ୍କ ଦାବି ଆସନ୍ତା ୧୫ ଦିନ ମଧ୍ୟରେ ସମାଧାନ ନାହେଲେ ସବୁ ଖଣିକ୍ଷତିଗ୍ରସ୍ତ ମିଶି ଅର୍ଥନୈତିକ ଅବରୋଧ ଆରମ୍ଭ କରିବେ। ସେତେବେଳେ ପରିସ୍ଥିତି ଯାହା ହେବ ସେଥିନେଇ ନାଲକୋ ଏବଂ ଅନୁଗୁଳ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଶୁଣାଇଛନ୍ତି।

Share

Leave a Reply