ନିର୍ବାଚନ ପାଇଁ ‘ସ୍ବିପ୍’ ରଥ ଉଦଘାଟନ କଲେ ଅନୁଗୁଳ ଜିଲ୍ଲାପାଳ, ଭୋଟ ନେଇ ଲୋକଙ୍କୁ କରିବ ସଚେତନ

0

ଅନୁଗୁଳ: ସାଧାରଣ ନିର୍ବାଚନ -୨୦୨୪କୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ଭୋଟ୍ ଦାନର ପ୍ରତିଶତ ଅଧିକରୁ ଅଧିକ ବଢ଼ାଇବା ନିମନ୍ତେ ‘ସ୍ବିପ୍’(SVEEP-Systematic Voters Education and Electoral Participation) ରଥକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବ୍ବାଲ୍ ଏମ୍ ଅଖତାର ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଏହି ରଥ ଅନୁଗୁଳ ଉପଖଣ୍ଡର ବିଭିନ୍ନ ଅଞ୍ଚଳ ବୁଲି ଭୋଟ ଦାନ ସମ୍ପର୍କରେ ସଚେତନତାର ବାର୍ତ୍ତା ପହଞ୍ଚାଇବ। ଏହା ବ୍ୟତୀତ ‘ସ୍ବପ୍’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାରେ ଥିବା ଭୋଟରମାନଙ୍କୁ ମୁଖ୍ୟତଃ ଯୁବ, ମହିଳା ଓ ସହରାଞ୍ଚଳ ବାସିନ୍ଦାଙ୍କ ଭୋଟ ଦାନ ପ୍ରତିଶତ ବଢାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବାର ବ୍ୟବସ୍ଥା ରହିଛି। ଏଥ‌ି ନିମନ୍ତେ ଜିଲ୍ଲାରେ ଥ‌ିବା ମହାବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୋଟର ମହତ୍ବକୁ ନେଇ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା, ପଥ ଉତ୍ସବ ଆୟୋଜନ କରିବା, ଜିଲ୍ଲାରେ ଥ‌ିବା ମୁଖ୍ୟ ଛକ ସ୍ଥାନରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା, ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ଠାରେ ସେଲ୍‌ଫି ପଏଣ୍ଟ ସ୍ଥାପନ ଓ ଦସ୍ତଖତ ଅଭିଯାନ ଆୟୋଜନ କରିବା ଇତ୍ୟାଦିର ବ୍ୟବସ୍ଥା ରହିଛି।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!