ତାଳଚେର: ତାଳଚେର ସିଏଏସ୍ଆଇ ଓକିଲମାନଙ୍କ ନାମରେ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଓ ତାଙ୍କୁ ନିଲମ୍ବନ ତଥା ଅନ୍ୟ ସିଏଏସ୍ଆଇ କର୍ମଚାରୀଙ୍କ ବଦଳି ଦାବିରେ ପୂର୍ବ ନିଷ୍ପତ୍ତି ମୁତାବକ ତାଳଚେର ଓକିଲ ସଂଘ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ କରାଯିବ। ଏ ନେଇ ସଂଘର ସଭାପତି ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି।
ଏନେଇ ଆଜି ସନ୍ଧ୍ୟାରେ ଓକିଲ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ଦାବିଗୁଡ଼ିକୁ ବିଚାର କରିବାକୁ ନିବେଦନ କରାଯାଇଥିଲା। କିନ୍ତୁ ସନ୍ଧ୍ୟା ୭ଟା ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇନଥିଲା। ଏଣୁ ଓକିଲ ସଂଘ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁସାରେ ଚଳିତ ୧୧ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାଳଚେର ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ତାଳଚେର ଓ ପାଳଲହଡା ଉପଖଣ୍ଡକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ଅବସରରେ ଏମସିଏଲର ସମସ୍ତ କୋଇଲାଖଣି, ଟ୍ରକ୍ ଓ ରେଳ ଯୋଗେ କୋଇଲା ପରିବହନ, ସମସ୍ତ ଯାତ୍ରୀବାହୀ ଗାଡ଼ି, ଦୋକାନ ବଜାର, ସ୍କୁଲ୍ କଲେଜ୍ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସମସ୍ତ ବ୍ୟାଙ୍କ ବନ୍ଦ ରହିବ।